ଭାବରେ ଭଗବାନ
ଭାବରେ ଭଗବାନ
ରତନ ବେଦୀରୁ
ଓହ୍ଲେଇ ଆସିଛ
ସ୍ନାନ ବେଦୀ ମଣ୍ଡପକୁ
ସୁବାସିତ ଜଳେ
କରିବ ସ୍ନାହାନ
ଜଗିବ ନିଜ ଦେହକୁ ।
ଜ୍ୱର ହେଇଯିବ
ଥଣ୍ଡା ଧରିନେବ
ଯନ୍ତ୍ରଣା ସହିବ କେତେ
ଭକତ ନାହାନ୍ତି
ଆଉଁସି ଦେବାକୁ
ପ୍ରୀତିର କୋମଳ ହାତେ ।
କାହିଁ କେତେ ଦୂରେ
ରହିଛ ଗୁମାନେ
ହୋଇ ଭାରି ସ୍ୱାର୍ଥପର
ଜଗତରେ କେତେ
ବେଦନାର ଝଡ଼
ମୃତ୍ୟୁ ଖେଳୁଛି ଖେଳ ।
ପ୍ରତିଶୃତି ଭୁଲି
ଅଜଣା ପରିକା
କରିଦେଲ ସାତ ପର
କେତେ ଯେ ଯନ୍ତ୍ରଣା
ସହୁଛି ଜୀବନ
ଚାରିଆଡେ ହାହାକାର ।
ତୁମେ ଭିଜୁଅଛ
ବାସନା ଜଳରେ
ହସୁଛ ମୁରୁକି ହସ
ଲୁହର ଭଉଁରୀ
ଦୁଃଖର ଚଉଁରୀ
ସଂସାର କଲାଣି ବଶ ।
ଆସିଛ କହ୍ନେଇ
ବାହାରକୁ ଯେବେ
ଦେଖଥରେ ଦୀନବନ୍ଧୁ
କେମିତି ଜଳୁଛି
ଭକତ ଜୀବନ
ଯନ୍ତ୍ରଣାରେ କୃପାସିନ୍ଧୁ ।