ପ୍ରିୟ ବନ୍ଧୁ
ପ୍ରିୟ ବନ୍ଧୁ
ମାୟା ପଛେ ଧାଏଁ କାୟା ଚାରିଆଡ଼େ ଖାଲି ମାୟା
ଧାଉଁଛି ଧାଇଁବି ଖାଲି ଯାଉଥିବି ଚାଲି ଚାଲି ,
ଜୀବନ ଛାଡ଼ିବା ଯାଏଁ ବେଳ ବୁଡ଼ି ଯିବା ଯାଏଁ
ଅଜଣା ପଥରେ ଖାଲି ମାୟା ବନ୍ଧନରେ ଚାଲି ।
ତୃଷାର୍ତ୍ତ ପଥିକ ସମ ଚାଲୁଛି ଏ ତନୁ ମନ
ବାକି ଅଛି ବହୁପଥ ଚାଲିବାକୁ ପଡ଼ିବ ତ ,
ଲକ୍ଷ୍ୟସ୍ଥଳ ବହୁଦୂର ନୀୟତି ବି ବଡ଼ କ୍ରୁର
ଶରୀର ଲାଗଇ କ୍ଳାନ୍ତ ମନ ହୁଅଇ ବିବ୍ରତ ।
ଡେଣା ହରା ପକ୍ଷୀ ପରି ନିଜ କର୍ମକୁ ଆଦରି
ଲକ୍ଷ୍ୟହୀନ ଜୀବ ସାଜି ସଂସାର ଭିତରେ ହଜି ,
ଶୁଖିଯାଏ ଓଠ ତଣ୍ଟି ଖନି ମାରିଯାଏ ପାଟି
ଆଖି ହୋଇଯାଏ ବୁଜି ମୁକ୍ତିପଥ ଖୋଜି ଖୋଜି ।
କିଏ ହିତାକାଙ୍ଖି ମୋର ବସିଯିବ ମୋ ପାଖର
ପାଣି ଢୋକେ ପିଆଇବ ହାତ ଧରି ଉଠାଇବ,
ଏକାକିନୀ, ଅଭାଗିନୀ ସ୍ନେହ ପ୍ରେମ କାଙ୍ଗାଳୁଣି
ହରିବ ମୋ ' ଦୁଃଖଭାର ବନ୍ଧୁ ଭିନ୍ନ ଦୁନିଆର।
ସେହି ପ୍ରିୟ ବନ୍ଧୁ ମୋର ନୀଳ ନୀଳ ଦେହ ତା'ର
ଜୀବନର ପ୍ରତିକ୍ଷଣେ ସେ ବନ୍ଧୁ ଆସଇ ଧ୍ୟାନେ ,
ଅଲୋଡ଼ା ଜୀବନ ମୋର ମରଣକୁ ନାହିଁ ଡ଼ର
ତନୁ, ମନ ସମର୍ପଣେ ଲଭିବି ଆଶ୍ୱସ୍ତି କ୍ଷଣେ ।
ମୁକତି ପାଇବା ପାଇଁ ତା' ପାଦରେ ହଜିଯାଇ
ଦିବ୍ୟଜ୍ୟୋତି ପରଂବ୍ରହ୍ମ ଈଶ୍ୱର ଯାହାର ନାମ ,
ଗୋଧୂଳିର ଅସ୍ତରାଗେ ଜୀବନର ଶେଷଭାଗେ
ଶେଷରେ ହେବି ବିଲିନ ତା' ପଦରେ ରଖି ଧ୍ୟାନ।