ଲକ୍ଷ୍ମୀ ପୂଜା
ଲକ୍ଷ୍ମୀ ପୂଜା
ମାଣ ତ ହଜିଛି ଜଗତୀକରଣେ
ଧାନ ଶିଳ୍ପାୟନ ତଳେ
ପରମ୍ପରା ବନ୍ଧା ଆଧୁନିକତାରେ
ଗାଁ ମୋ ସହର ତଳେ l
ଜଟିଳ ଜୀବନୁ ଦୂରେଇ ଗଲାଣି
ମଗୁଶିର ମାଣବସା
ପରମ୍ପରା କଥା ବଖାଣିଲେ ଏଠି
ମିଳେ ଖାଲି ଲୋକହସା l
କି ସୁନ୍ଦର ମାଣେ ଝଟକୁଥିଲା ମୋ
ଗାଁ ମଗୁଶିର ସାରା
ମନ ପୁରୁଥିଲା ଚିତାକୁଟା ମାଣେ
ଦେଖି ଭୋଗର ପସରା l
ଯନ୍ତ୍ର ଦାନବର ନିଷ୍ଠୁର ଆଘାତେ
ମଲା ମାଣ ବୁଣାକାର
ତା ଆଖି ଲୁହର ବନ୍ୟାରେ ଭାସିଲା
ମାଣ ପରମ୍ପରା ମୋର l
ଅଧିଷ୍ଠାତ୍ରୀ ମାତା ଧାନଲକ୍ଷ୍ମୀ ମୋର
ମଣ୍ଡିରେ କାଟୁଛି ଦିନ
ନେତା ମନ୍ତ୍ରୀ ସବୁ ନିଲାମ କଲେଣି
ଧାନ ଧନ ସ୍ୱାଭିମାନ ।
ମାତା ଲକ୍ଷ୍ମୀ ସୂତ ଅଭାବି କୃଷକ
ପାଦରେ ଋଣର ବେଢ଼ି
ଦିନୁ ଦିନୁ ତାର ଆତ୍ମହତ୍ୟା ସଂଖ୍ୟା
ଧିରେ ଧିରେ ଯାଏ ବଢ଼ି l
ସଡ଼କ ଧାରର ଛୋଟ ଚାଷୀ ବିଲ
ଗାଁ କୁଜିନେତା କିଣି
ଗାଁରେ ସହର ନିର୍ମାଣ କଲାଣି
ଭାରିଯା ନାଁରେ ଭଣି l
ଛୋଟ ଚାଷୀ ସୂତ ପଡୋଶୀ ରାଇଜେ
ଦୁଃଖରେ ଖଟୁଛି ଗୋତି
ବଳିଆ ଭକ୍ତର କାଳିଆ ଯୋଜନା
ପାଲଟିଛି ରାଜନୀତି l
ଉତ୍କଳ ମାଟିର ଲକ୍ଷ୍ମ
ୀ ମାଆ ମୋର
ଆପଣା ଅଣ୍ଟି ପସାରି
ପଞ୍ଚାୟତ ଆଗେ ଚିତ୍କାର କରୁଛି
ହାଅନ୍ନର ରାହା ଧରି l
ଲକ୍ଷ୍ମୀ ସ୍ୱରୁପିଣୀ ତରୁଣୀ ଭଗିନୀ
ବିଧବାର ବେଶଧରି
ଗୁମୁରି କାନ୍ଦୁଛି ନିଶାର୍ଦ୍ଧେ ସ୍ୱାମୀର
ମଦମୃତ୍ୟୁ କଥା ସ୍ମରି l
ଗୃହଲକ୍ଷ୍ମୀ ମୋର ଭାଉଜର ନାହିଁ
ସାମାଜିକ ଅଧିକାର
ପରକୀୟା ପ୍ରୀତି ଯୌତୁକ ରାକ୍ଷସ
ଉଜାଡ଼ିଛି ତା ସଂସାର l
ମାତୃ ଜଠରର କନ୍ୟା ଭ୍ରୁଣେ ନାହିଁ
ବଞ୍ଚିବାର ଅଧିକାର
କେତେ ଯୁବାଲକ୍ଷ୍ମୀ ସାଜୁଛନ୍ତି ଏଠି
ପ୍ରେମ ଜିହାଦ ଶିକାର l
ଲକ୍ଷ୍ମୀ ପୂଜନର ବୁଣାକାର ମାଣ
ମାଣେ ବସିଥିବା ଧାନ
ଧାନର ଜନକ ଗରିବ କୃଷକ
କୃଷକ ପରାଣ ଧନ l
ପ୍ରାଣପ୍ରୀୟା ପତ୍ନୀ, କନ୍ୟା, ପୁତ୍ରବଧୂ
ସଭିଏ ତ ନିର୍ଯାତିତା
ନିର୍ଯାତିତା ଜନେ କିସୁଖେ ପୂଜିବେ
ଚୀରାରାଧ୍ୟା ଲକ୍ଷ୍ମୀମାତା l
ମାତା ଲକ୍ଷ୍ମୀଙ୍କର ବନ୍ଦାପନା ହେଉ
ବୁଣାକାର ସମୃଦ୍ଧିରେ
ଇଷ୍ଟଦେବୀ ମାଣ ଶୋଭା ପାଉଥାଉ
କୃଷକର ପ୍ରାଚୁର୍ଯ୍ୟରେ l
ଲକ୍ଷ୍ମୀ ପୂଜା ହେଉ ମୋ ମାତୃ ଜାତିର
ପ୍ରେମ, ଭକ୍ତି, ସମାଦରେ
ଜାତି ପ୍ରଗତିର ସ୍ରୋତ ବହିଯାଉ
ମାତା ଲକ୍ଷ୍ମୀ କୃପାଧାରେ l