ଉଜ୍ଜ୍ୱଳ ଭବିଷ୍ୟତ.
ଉଜ୍ଜ୍ୱଳ ଭବିଷ୍ୟତ.


ପିଲା ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଯେ
ପିତା ମାତାଙ୍କ କର୍ତ୍ତଵ୍ୟ
ଭଲ ଉପଦେଶ, ସଂସ୍କାର ସଂସ୍କୃତି
ପିଲାଙ୍କୁ ଗଢ଼ି ତୋଳିବ ।
ଛୋଟ ପିଲା ଅଟେ ମାଟିର ପିଣ୍ଡୁଳା
ଗଢିବା ଆମେ ଯେପରି
ସେହିପରି ସିଏ ନିଶ୍ଚୟ ହୋଇବେ
ପାରିଲେ କର୍ତ୍ତବ୍ୟ କରି ।
ଆଚରଣ ଆଉ ଉଚ୍ଚାରଣ ଦୁଇ
ପିଲା ଆମଠୁ ଶିଖିବେ
ପରିବାର ତାଙ୍କ ବଡ଼ ଶିକ୍ଷା କେନ୍ଦ୍ର
ସେଠାରେ ତାଲିମ ନେବେ ।
କଥାରେ କହିଲେ ଚଳିଯିବ ନାହିଁ
ନିଜେ କରିବ ସେପରି
କହୁଥିବ ଯାହା କରୁଥିବ ତାହା
ଦେଖିବେ ପିଲା ଯେପରି ।
ନିଜେ ପରପାଇଁ ମନ୍ଦ ଚିନ୍ତାକରି
ପିଲାଙ୍କୁ ଯେ ଉପଦେଶ
ଦେବ ଯଦି ତୁମେ ତାହାହେଲେ ପିଲା
ଭବିଷ୍ୟତ ହେବ ନାଶ ।
ଭଲ କର୍ମ କଲେ ଭଲ ଫଳ ମିଳେ
ଏହାକୁ ରଖି ମନରେ
ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତେବେ
ଦେଖିବ ଦୁଇ ଆଖିରେ ।
ପିତା ମାତା ହେଲେ ସନ୍ତାନ ଗଢିବା
ଗୋଟିଏ କୁଟୀର ଶିଳ୍ପ
ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ
ତାଙ୍କର ତ୍ୟାଗ ଅମାପ ।
ଭଲ ଶିକ୍ଷା ଭଲ ମଣିଷ କରିବ
କୁବୁଦ୍ଧି କରିବ ଚୋର
ପିଲା ମାନେ ଅନୁକରଣର ପ୍ରିୟ
ତେଣୁ କର ସୁଵିଚାର ।