ଅନାମିକା
ଅନାମିକା


ଶ୍ରାବଣ ରାତ୍ରିର ସୁରଭିତ ବାସ୍ନା
ପୁନେଇଁ ଚନ୍ଦ୍ରମାର ସ୍ନିଗ୍ଧ ଜ୍ୟୋସ୍ନା
ରଜନୀ ଅନ୍ଧାରେ ମାଆଙ୍କ ଉଦରୁ
ଧରିତ୍ରୀରେ ପାଦ ଦେଲି ମୁଁ ଗର୍ଭରୁ ।
ଜନମ ନେଇକି ମାଆକୁ ହାରିଲି
ବାପା ମୁଖକୁ ଜନମୁ ନ ଦେଖିଲି,
ଜନମ ମୋହର ସତେ ଅଭିଶାପ
ପୂର୍ବ ଜନମେ କି କରିଥିଲି ପାପ ।
ନୀଳାକାଶ ତଳେ ତୃଣ ବିଛଣାରେ
ଛାଡିଦେଲେ ମୋତେ ରାସ୍ତାର କଡରେ,
ସ୍ନିଗ୍ଧ ଚନ୍ଦ୍ର ମୋତେ ଦେଇଥିଲା ଶୀତ
ହୋଇଥିଲି ମୁଁ ଏ ଧରାରେ ପତିତ ।
ଧରିତ୍ରୀ ସାଜିଲା ରେଶମ ବିଛଣା
କମ୍ବଳ ହେଲା ଘାସର ମୂର୍ଚ୍ଛନା,
ବୃକ୍ଷମୁଳ ମୋତେ ଦେଲା ଉପାଧାନ
ସୂତା କଲା ମୋତେ ପ୍ରକୃତି ରମଣ ।
କନ୍ୟା ବୋଲି ମୋତେ ଦେଇଥିଲେ ତ୍ୟାଗୀ
ଅନାମିକା ମୁହିଁ ଅଟେ ସେ ଦୁର୍ଭାଗୀ,
ପ୍ରକୃତି କୋଳରୁ ନେଲେ ମହାନର
ଝିଅ ଭଳି ରଖି ପୋଷିଲେ ପୁଷ୍କର ।
ଲେଖୁଛି ଆଜି ମୁଁ ଅନାମିକା ନାରୀ
ତ୍ୟାଗି ମୋତେ କାହିଁ କଲ ହିନମରୀ,
ପ୍ରଣାମ କରୁଛି ତୁମ ଶ୍ରୀଚରଣେ
ଆଣିଲ ମୋତେ ଏ ଧରଣୀ ଭୁବନେ ।
କନ୍ୟା ବୋଲି ଜାଣି ଦେଲ ପଥେ ଛାଡି
କନ୍ୟା ବୋଲି ମାତା ମୁହଁ ଦେଲ ମୋଡି,
ତମେ ପରା ମାଆ ସବୁଠୁ ମହାନ
ମୋତେ କଲ ପର ଏ ତମ ଯତନ?
ମାଆ ଏ ଧରାର ମଧୁର ଲେପନ
କୋମଳ ମନର ମଧୁର ରତନ,
ମମତା ମୋତେ ନ ଦେଲ ହେ ଜନନୀ
ମୁଁ କ'ଣ ନଥିଲି ତୁମର ନନ୍ଦିନୀ?
ମୋ ପରି ସହସ୍ର ଜନକ ନନ୍ଦିନୀ
ଗର୍ଭରେ ପିଅନ୍ତି ଏ ଜହର ପାଣି,
ଧରିତ୍ରୀ ମାତାକୁ ଦେଖି ନ ପାରଇ
ମାତୃ ଗରଭେ ସେ ନୟନ ବୁଜଇ ।
ଅନ୍ୟ କନ୍ୟା ହୋଇଥାନ୍ତି ଅନାମିକା
ପିତୃମାତୃ ସ୍ନେହ ଲାଗେ ତାଙ୍କୁ ଫିକା,
ଅନ୍ୟ କେତେ ଝିଅ ପାଇ ସ୍ନେହ ପ୍ରେମ
ନର ରାକ୍ଷସର ସାଜିଥାନ୍ତି କମ ।
କନ୍ୟାଭୃଣ ହତ୍ୟା କର ବହିଷ୍କାର
କନ୍ୟା ଶୋଷଣକୁ କର ତିରସ୍କାର,
କର ଏ ଜାତିକୁ ଅନାମିକା ମୁକ୍ତ
କନ୍ୟା ସନ୍ତାନକୁ ଦିଅ ସର୍ବ ମତ ।