ସ୍ମୃତି ତୁମେ
ସ୍ମୃତି ତୁମେ


ସ୍ମୃତି ତୁମେ
ପଉଷ କାକର ଛୁଆଁ
ଉଠୁଅଛି ଆଜି
ହୃଦୟ ଭିତରୁ ଉନ୍ମୁକ୍ତ ଶୀତଳ ଧୂଆଁ।
ତୁମେ ହିଁ ଶାନ୍ତି
ଶ୍ରାବଣ ର ବାରିଧାରା
ମନେ ଭରିଦିଅ
କୌତୁକ ପ୍ରେମ ର ସୀମାନ୍ତ ବ୍ୟାପୀ ନାରା।
ସ୍ମୃତି ତୁମେ
ଅକୁହା ଉପନ୍ୟାସ
ଲେଖନୀ ମୁନରେ
ରଚି ଦିଅ ଆଜି ମୋର ଇତିହାସ।
ତୁମେ ହିଁ ସ୍ନିଗ୍ଧ
କାର୍ତ୍ତିକ ର ମଧୁବାସ
ଶୀତଳ ପ୍ରକୋଷ୍ଠେ
ଆଜି କାହିଁ ଲାଗେ ବହ୍ନି ର ଆଭାସ।
ସ୍ମୃତି ତୁମେ
ମଧୁ ମିଳନ ର ରାତି
କସ୍ତୁରୀ ସୁଗନ୍ଧେ
ଚହଟାଇ ଦିଅ ଏ ସାରା ଭବ୍ୟ ପ୍ରକୃତି।
ତୁମେ ହିଁ ସ୍ଥିତି
ନବ ମନ୍ଦାକିନୀ ଧାରା
ଢାଳିଦିଅ ଆସି
ଜୀବନ ଭୂଇଁ ରେ ଆଶା ର ମୁକ୍ତ ନିର୍ଝରା।
trong>ସ୍ମୃତି ତୁମେ
ଭଞ୍ଜ ଙ୍କ ଲାବଣ୍ୟବତୀ
ତୁମକୁ ଦେଖିଲେ
ଭାଙ୍ଗି ଯାଉଛି ଜୀବନ ର ନିୟତି।
ତୁମେ ହିଁ ସ୍ଵପ୍ନ
ସାଗର ର ବାଲିଘର
ଭାଙ୍ଗିଗଲେ ସୁଦ୍ଧା
ଗଢ଼ିବାକୁ ଇଚ୍ଛା ସେ ସ୍ବପ୍ନ ର ରାଜନଗର।
ସ୍ମୃତି ତୁମେ
ଉଷ୍ମତା ର ପରିଚୟ
ଲଗେଇ ଦିଅ ହେ
ହିୟା ତଳେ ଆଜି ବହ୍ନି ଦେବତା ଙ୍କ ପୟ।
ତୁମେ ହିଁ ଶକ୍ତି
ବିଫଳତା ବେଳ ସଖୀ
ବୁଣି ଦିଅ ଆସି
ନବ ଚେତନା ର ନବ କୌଶଳ ବିଭାସୀ।
ସ୍ମୃତି ତୁମେ
ଶେଷ ପୃଷ୍ଠା ଜୀବନର
ସରିଯିବ ଆଜି
ମିଥ୍ୟା ସଂସାର ରେ ସବୁ କୁହୁକ ପ୍ରାଣର।
ତୁମେ ହିଁ ମିଥ୍ୟା
ପ୍ରଲୋଭନ ,ସମୟ ର
ହଜିଯିବ ଯେବେ
ଭାଙ୍ଗିବ ବ୍ୟୁହ ଅଧର୍ମ ସତ୍ୟର।