STORYMIRROR

Ayushman Tripathy

Abstract Classics Inspirational

3  

Ayushman Tripathy

Abstract Classics Inspirational

ଶେଷ ଯୁଦ୍ଧର ସାରଥି

ଶେଷ ଯୁଦ୍ଧର ସାରଥି

1 min
176

ହେ ଧନଞ୍ଜୟ,

ପ୍ରୟୋଧି ନାବର ପୋତପାଳ ହୋଇ

ଡରୁଛ ଜୀବନ ତୋୟ ତରିବାକୁ

ସ୍ବାର୍ଥ ଧର୍ମ ଯୁଦ୍ଧେ ସାମର୍ଥ୍ୟ କିମ୍ପାଇ

ପଞ୍ଚାସ୍ୟ ଶୃଗାଳ ବାଣୀ ଶୁଣିବାକୁ।


ଜୀବନ ନୁହେଁ ଏ ଶେଷ ସଂଗ୍ରାମ

ବୀର ଦର୍ପେ ଯାଅ ଯୁଦ୍ଧ କରିବାକୁ

ଜଳାଞ୍ଜଳି ଦିଅ ସ୍ୱାର୍ଥ ଭୟ କାମ

ଜାଗ୍ରତ କର ସେ ସୁପ୍ତ ଚେତନାକୁ ।


ଖେଳିଯାଉ ଆଜି ବୈଶ୍ୱାନର ଭୟ

ଶୁଭୁ ଖଡଗ ଝଙ୍କାର 

ଶେଷ ନିଃଶ୍ୱାସର ଅନ୍ତିମ ସମୟ 

ନ କର ଶ୍ୱାନ ଚିତ୍କାର। 


ଜୀବନଟା କେବେ ଚକ୍ର ସାଜଇ

କେବେ ଅଭେଦ ଚକ୍ରବ୍ୟୁହ

ଦନୁଜ ରୁପେ ଅଧର୍ମ ଆସଇ

କରି ସତ୍ୟକୁ ମହାଦାହ। 


ଜାଗ୍ରତ ହୁଅ ବହ୍ନି ଶିଖରୁ,

ଉଠାଅ ତବ ଗାଣ୍ଡିବ

ଚିନ୍ତାକୁ ତ୍ୟାଗି ଧର୍ମ ସ୍ୟନ୍ଦନେ

ସମରାଗ୍ରସର ହୁଅ।


ହେ କୌନ୍ତୟ ,

ଶେଷ ସଂଗ୍ରାମର ଶଙ୍ଖ ଧ୍ଵନି ଶୁଣି 

କର୍ତ୍ତବ୍ୟର ପଥେ ଯାଅ

ଅସତ୍ୟ ଅଧର୍ମ ତ୍ୟାଗ କରି ଆଜି

ଧର୍ମ ବିଦ୍ୟା ଆପଣାଅ। 


ନଥିବେ ଯଶୋଦା ନନ୍ଦନ ଆଗରେ

ଅବା ଧ୍ୱଜେ ଅଞ୍ଜନେୟ

ନଥିବ ଉଚ୍ଚ ଜାତିର ପ୍ରମାଣ

କିମ୍ବା ସାରଥିଟେ ଦକ୍ଷ।


ବିସ୍ମରଣ ସର୍ବ ଅସ୍ତ୍ର ବିଦ୍ୟା ତମ

ବୃଦ୍ଧ ଗୁରୁ ଅଭିଶାପେ

ରଥ ଚକ୍ର ହେବ ଭୁ ଗର୍ଭେ ବିଲୀନ

ଶେଷ ମୁହୂର୍ତ୍ତର ସାଥେ।


ଚିନ୍ତା କର ଧରାଶାୟୀ ହେବା ପୂର୍ବୁ

ଏହା ଅଧର୍ମ ପକ୍ଷର ଫଳ 

ଶେଷ ଯୁଦ୍ଧେ ଯଦି ସାରଥି ନଥିବ

ଧର୍ମ ହିଁ ହେବ ବିଫଳ।


ଆଜି ସୃଜ ନବ ମହାଭାରତ

ନୀଳମାଧବଙ୍କ ବିନା

ସମର ପ୍ରାରମ୍ଭୁ ହେବ ସମାପନ

ଉଡ଼ିବ ଅଧର୍ମ ବାନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract