ଅନୁଭୁତିରେ ସ୍ୱାସ୍ଥ୍ୟସେବା
ଅନୁଭୁତିରେ ସ୍ୱାସ୍ଥ୍ୟସେବା


ଭାବି ନଥିଲି ମୁଁ ବିଷାକ୍ତ କୋରନା
ରୋଷର ଶିକାର ହେବି ।
ମରଣ ମୁହଁରୁ ତ୍ରାହି ପାଇବାକୁ
ଡାକ୍ତରଖାନାକୁ ଯିବି ।୧।
କେମିତି ଆସିଲା କେଉଁଠୁ ଆସିଲା
ଦେହରେ କରିଲା ବାସ ।
ଥଣ୍ଡା କାଶ ଜ୍ୱର ବିନା ଲକ୍ଷଣରେ
କରିଲା ମୋତେ ସେ ଗ୍ରାସ ।୨।
ଦେଖି ମୋ ଅବସ୍ଥା କରିଲେ ବ୍ୟବସ୍ଥା
ଯିବାକୁ ପୃଥକ ବାସ ।
ଭିଡିନେଲେ ମୋତେ ବଞ୍ଚିବା ନିମନ୍ତେ
ଶୁଣେଇ ଡାକ୍ତରୀ ଶାସ୍ତ୍ର ।୩।
ଡାକ୍ତରଖାନାରେ ଯାହା ମୁଁ ଭୋଗିଲି
ଦୟନୀୟ ସେହି ସ୍ଥିତି ।
ପଚାଶ ବର୍ଷରେ ଅଭିଜ୍ଞତା ହେଲା
ବିଚିତ୍ର ସେ ଅନୁଭୂତି ।୪।
ଜରୁରୀ କାଳୀନ ପରୀକ୍ଷା କରିଲେ
କୋରନା ଭୂତାଣୁ ପାଇଁ ।
ପରୀକ୍ଷା ଫଳକୁ ଗୁପ୍ତରେ ରଖିଲେ
ଖ୍ୟାପନ ବି ଦେଲେ ନାହିଁ ।୫।
ହାତ ଧରି ନେଲେ ବାତାୟନ କକ୍ଷେ
ଭର୍ତ୍ତି ସେ କରିଲେ ମୋତେ ।
ଛାତି ପେଟ ଆଉ ପିଠିରେ ମୋହର
ତାର ଲଗେଇଲେ କେତେ ।୬।
ତିନି ପାଖେ ମୋର ତିନି ଗୋଟି ରୋଗୀ
ବାତାୟନ ଯନ୍ତ୍ରଯୁକ୍ତ ।
ପଡି ରହିଥିଲେ ନାକେ ନଳି ଲାଗି
ଏକ ରୋଗୀ ଥିଲା ସୁପ୍ତ ।୭।
ରକ୍ତ ନଳି ଲାଗି ସମ୍ମୁଖରେ ମୋର
ଶୋଇଥିଲା ଯେଉଁ ରୋଗୀ ।
ଅମ୍ଳଜାନ ତାର ଅଭାବ ହେବାରୁ
ପ୍ରାଣ ଦେଲା ସିଏ ତ୍ୟାଗୀ ।୮।
ବାତାୟନ ଯନ୍ତ୍ର ଶବ୍ଦରେ ମୋହର
ଥରୁଥିଲା ଖାଲି ଛାତି ।
ରାତିସାରା ବସି ଭାବୁଥିଲି ଖାଲି
କେମିତି ପାଇବି ମୁକ୍ତି।୯।
ହୋଇଲା ସକାଳ ହେଲି ମୁଁ ବିକଳ
ବିନୟ ସ୍ୱରେ କହିଲି ।
ମୁକ୍ତି କର ଏବେ ଦୟାବହି ମୋତେ
ନହେଲେ ଏଠାରେ ମଲି ।୧୦।
କର୍ଣ୍ଣପାତ ମୋତେ କଲେ ନାହିଁ କେହି
ଦେଖେଇଲେ ତାଙ୍କ ଠାଣି ।
ତିନିଦିନ ଯାଏ ରହିବାକୁ ହେବ
କହିଲେ ପାରୁନ ଶୁଣି ।୧୧।
ଭୟେ ଥରହର ହୃଦୟ ମୋହର
ମର୍ତ୍ତ୍ୟ ଯମପୁରେ ରହି ।
ପାରିଲିନି ସହି ଚିତ୍କାର ମୁଁ କଲି
ଅତି ଭୟଭୀତ ହୋଇ ।୧୨।
ଆସିଲେ ଡାକ୍ତର ଶୁଣି ମୋ ଚିତ୍କାର
ବ୍ୟବସ୍ଥା କରିବା ପାଇଁ ।
ମୁକ୍ତି ମିଳୁ ମିଳୁ ବାଜିଲା ଚାରିଟା
ଅଥୟରେ ଥିଲି ଚାହିଁ ।୧୩।
କାଗଜ ପତର ହାତେ ଧରେଇଲେ
କହିଲେ ଯାଅ ବାହାରି ।
ପରିଚାରିକାଟି ପାଖେ ପହଁଚିଲା
ଠେଲା ଗାଡିଟିଏ ଧରି ।୧୪।
ସହାସ୍ୟ ବଦନେ ଧରି ନେଇ ମୋତେ
କହିଲା ଗାଡ଼ିରେ ବସ ।
ବିନୟେ ଭାଷିଲା ନ ବସିଲେ ମୁହିଁ
ଚାକିରୀ ତା ସର୍ବନାଶ ।୧୫।
ଗାଡ଼ିରେ ବସେଇ ପଛରୁ ଠେଲିଲା
ମୋତେ ଲାଗୁଥିଲା ହସ ।
ସୁସ୍ଥ ଲୋକ ପାଇଁ ବ୍ୟବସ୍ଥାକୁ ଦେଖି
ଲାଗୁଥିଲା ପରିହାସ ।୧୬।
ଠେଲି ପେଲି ଆଣି ଫାଟକ ପାଖରେ
ସସମ୍ମାନେ କଲା ବିଦା ।
ଅଣଚାଷ ବର୍ଷେ ଅନୁଭୂତି ମୋର
ସ୍ମୃତିରେ ହୋଇଲା ଗଦା ।୧୭।
ବେଏସରକାରୀ ସ୍ୱାସ୍ଥ୍ୟ ସେବା ସଂସ୍ଥା
ନିୟମ କାନୁନ ଦେଖି ।
ଭାବୁଥିଲି ବସି ମରିଗଲେ ଏଠି
କେହି ନାହିଁ କାହା ସାକ୍ଷୀ ।୧୮।
ଶୁଣିଥିଲି କାନେ ଭାବୁଥିଲି ମନେ
ଯମପୁରୀ ମେଡ଼ିକାଲ ।
ଶୋଷଣ ସହିତ କଷଣ ଏଠାରେ
କରିଥାନ୍ତି କଲବଲ ।୧୯।
ମୂଲଚାଲ ନାହିଁ ପଇସା ନିଅନ୍ତି
ପାଟିରୁ ଯାହା ବାହାରେ ।
ଚିକିତ୍ସା ସେମିତି ମିଛେ ଚାଲିଥାଏ
ରୋଗୀ ମରିଗଲା ପରେ ।୨୦।
ଧନୀ ଓ ଗରୀବ ମୂଲ୍ୟହୀନ ଏଠି
ପଇସା ତାଙ୍କର ଲୋଡ଼ା ।
ଔଷଧ ପତର କିଣିବାକୁ ପଡେ
ରୋଗୀ ହେଲେ ମଧ୍ୟ ମଡା ।୨୧।
ଧନ୍ୟ ସରକାର ଧନ୍ୟ ସ୍ୱାସ୍ଥ୍ୟ ନୀତି
ଧନ୍ୟ ସ୍ୱାସ୍ଥ୍ୟସେବା ସଂସ୍ଥା ।
ଶୀର୍ଷରେ ଦୁର୍ନୀତି ଶୋଷଣ ଏଠାରେ
ବୃଦ୍ଧି କରେ ମୁଣ୍ଡ ବ୍ୟଥା ।୨୨।
ଜୋକ ପରି କର୍ମୀ ଅତ୍ୟନ୍ତ ବିଧର୍ମୀ
ଦୁଇ ପଟେ ତାଙ୍କ ମୁହଁ ।
ପଇସା ପାଇଁ ସେ କାହାର ନୁହନ୍ତି
ଜୀବନ ବି କିଛି ନୁହଁ ।୨୩।
ପଇସା ନୁହେଁ ତ ଶୋଷନ୍ତି ରକତ
ଦୟାମାୟା ଛାଡି ଦେଇ ।
ତଥାପି ଅଶାନ୍ତି ବାଟ ଖୋଜୁଥାନ୍ତି
ଆହୁରି ଶୋଷିବା ପାଇଁ ।୨୪।
ଆହେ ଦୟାମୟ ବାରେ ବହି ଦୟା
ସତ୍ ବୁଦ୍ଧି ତାଙ୍କୁ ଦିଅ ।
ଅନ୍ୟାୟ ଅନୀତି କୂପଥରୁ ତାଙ୍କୁ
ସତ୍ୟପଥେ ଟାଣି ନିଅ ।୨୫।