ଭଣ୍ଡ
ଭଣ୍ଡ
ପିନ୍ଧନ୍ତି ଗେରୁଆ ଖାଆନ୍ତି ଅରୁଆ
ମଥାରେ କାଟନ୍ତି ଚିତା
ହୋଇ ମଞ୍ଚାସିନ ଦେଇ ପ୍ରବଚନ
କରନ୍ତି ଆଇଁସ ଚିନ୍ତା ॥
ଦିବାଲୋକେ ମଠ ମନ୍ଦିରେ ନିବାସ
ବିଛେଇ ଦରି ଆସନ
ରୁହନ୍ତି ରାତିରେ ଶୀତତାପ ଘରେ
ପଲଙ୍କ ବିଳାସ ପୂର୍ଣ୍ଣ ॥
ଗୋଚରେ ଗୋରସ ପିଇ ଫଳ ରସ
ଖାଆନ୍ତି ସାତ୍ତ୍ଵିକ ଖାଦ୍ୟ
ଅଗୋଚରେ ମାଛ ଅଣ୍ଡା ମାଂସ ସଙ୍ଗେ
ପାନ କରିଥନ୍ତି ମଦ୍ଯ ॥
ବାହ୍ୟ ଆଚରଣ ମଧୁର ଵଚନ
କରେ ଜନମନ ତୋଷ
ଭିତର ସ୍ୱରୂପ ଭରା ପାପ ପଙ୍କ
ହୃଦେ ହଳାହଳ ବିଷ ॥
ନାରୀଙ୍କୁ ସମ୍ମାନ ଭଗ୍ନୀ ମାତୃ ସମ
ସମାଜ ଜାଣିବା ପାଇଁ
ଭିତରେ କାମୁକ ଭାବ ତାମସିକ
କାମିନୀ ପଛରେ ଧାଇଁ ॥
କହନ୍ତି ଵଚନ ଲୋଡ଼ା ନାହିଁ ଧନ
କାଞ୍ଚନରେ ଥାଏ ମନ
ଉପରେ ସାଧୁତା ଭିତରେ ଶଠତା
ଚୋର ତସ୍କରଠୁ ହୀନ ॥
ପିନ୍ଧି ଦୁଇ ମୁଖା ଦେଇଥାନ୍ତି ଦେଖା
ଉପର ଭାରି ସୁନ୍ଦର
ପ୍ରଖର ମଗଜ କରନ୍ତି ପୟୋଗ
ଭିତରକୁ କଦାକାର ॥
ଏହିପରି ଲୋକ ସାଧୁ ପଦବାଚ୍ୟ
ନୁହେଁ କେବେ ସମାଜରେ
ଭଣ୍ଡ ନାମେ ଗଣା ପଡ଼ନ୍ତିନି ଜଣା
ରହିବା ତାଙ୍କଠୁ ଦୂରେ ॥
