STORYMIRROR

Laxminarayan Sahoo

Inspirational

4  

Laxminarayan Sahoo

Inspirational

ମୋହମୁକ୍ତି

ମୋହମୁକ୍ତି

1 min
226

 ମୋହମୁକ୍ତି ପ୍ରୟାସକୁ ମୋର

ତୁମେ ସନ୍ନ୍ୟାସର ନାମ ଦେଲ

ଶ୍ମଶ୍ରୁଭରା ମୋ ମୁହଁରେ 

ତୁମ ପ୍ରେମ ମୂର୍ତ୍ତି ଖୋଜି ନ ପାଇ

ନିରାଶ ବି ହେଲ ।


 ତୁମର ମନେ ନାହିଁ କି

ଶବ୍ଦଙ୍କ ଶୋଭାଯାତ୍ରାରେ

ତୁମେ ନେତ୍ରୀ ସାଜିଥିଲ

ତୁମକୁ ଠାବ କରି

ମୋ ଶବ୍ଦ କୋଣାର୍କର

ପ୍ରତିଟି ଖୋପରେ

ତୁମକୁ ହିଁ ସଜେଇ ଥିଲି

ମୋର ଇଚ୍ଛା ମତେ

ନାନା ଠାଣି ଅନେକ ମୁଦ୍ରାରେ ।


 ତୁମେ ମୋର ନାମକରଣ କରି

କେତେବେଳେ ଶିଳ୍ପୀ କହୁଥିଲ

କେତେବେଳେ ସ୍ରଷ୍ଟା କହୁଥିଲ

କେତେବେଳେ କବି କହୁଥିଲ

ପ୍ରେମାସ୍ପଦ ଶବ୍ଦ ପାଖରେ ଅଟକି ଯାଇ

ତା ଚାରିପାଖରେ ଘୁରି ଘୁରି

ଘୂର୍ଣ୍ଣି ହୋଇଯାଉଥିଲ ।


 ତୁମେ କବିର ଲେଖନୀରେ

ଗୋଲାପ ଫୁଟାଇ ପାର

ତୁମେ ଶିଳ୍ପୀର ନିହାଣରେ

କୀର୍ତ୍ତି ସଜେଇ ପାର

ତୁମେ ତ ସ୍ରଷ୍ଟାର ପରିକଳ୍ପନାର

ଶେଷତମ ଶ୍ରେଷ୍ଠ ସୃଷ୍ଟି ହୋଇପାର ।


 ତୁମର ତ ମନେଥିବ 

ସମୁଦ୍ରର ବେଳାଭୂମି ପରେ

ଯେଉଁଠି ବାରମ୍ବାର ଲିଭି ଯାଉଥାଏ

ଆମ ପାଦ ଚିହ୍ନ

ଶତ ଶତ ଲହଡ଼ିଙ୍କ ଉନ୍ମାଦ ଛୁଆଁରେ

ସେଇଠି ତ ପୁଣି ଗଢା ହୋଇପାରେ କୋଣାର୍କ ।


 ଇତିହାସ କହୁଥିଲା

ଇମାରତ ତିଆରି ବାଲାର ଅଧିକାର

ଖାଲି ନାଆଁ ଟିଏ

ଧରମା ବିଷୁ ହେଲେତ ଭିନ୍ନ କଥା

ବାରଶ ଭିତରେ ରହିଗଲେ ସବୁ ସଇଲା 

ଇମାରତ କିନ୍ତୁ ସତ୍ୟ

ସତ୍ୟ ତା'ର କାରୁକଳା

ଖୋପ ଭିତରେ ଆସ୍ଥାନ ଜମେଇ ଥିବା

ତୁମ ପରି ଅପରୂପା ସ୍ଥାପନା ।


 ମୁଁ ବିନ୍ଧାଣୀ ତୁମେ ମୁର୍ତ୍ତି

ମୁଁ ସ୍ରଷ୍ଟା ତୁମେ ସୃଷ୍ଟି

ମୁଁ କବି ତୁମେ କବିତା

ସମ୍ପର୍କ ଖୋଜୁଛି ଯେ

ଜଡ଼ିବୁଟି ଔଷଧର

ଭାଗମାପ ପରି ତୁମ ପ୍ରେମ

ମତୁଆଲା ହୋଇ ଅଧିକ ଦୁଇ ଗ୍ଲାସ୍

ଢାଳି ପିଇବାକୁ ଦିଅନା ସୁଯୋଗ ।


 ନଈର ଏ ଖଣ୍ଡି ସେ ଖଣ୍ଡି

ନିତି ପରସ୍ପରକୁ ଦେଖୁଥିବେ ସିନା

ମିଶି ପାରିବେନି

ଏ ସତ୍ୟକୁ ପାଥେୟ କରି

ପ୍ରସାରିତ ଡେଣା ମୋର

ନେଉଛି ସଙ୍ଖୁଳି

ତୁମେ ନାଆଁ ଦେବ ତ ଦିଅ

ଯେକୌଣସି ନାଆଁ ଦିଅ

ମୁଁ ତାକୁ ସ୍ୱୀକାର କରୁଛି ।।

    

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational