ମଣିଷ ପରିକା ମଣିଷଟେ ଥାଅ ରହି
ମଣିଷ ପରିକା ମଣିଷଟେ ଥାଅ ରହି


ସତ୍ୟ ସଦାଚାର ସୁନୀତି ସଜିତ
ସଜ୍ଜନଙ୍କ ବ୍ୟବହାର,
ଦୂର୍ଜନଙ୍କ ପ୍ରିୟ ମିଥ୍ୟା ପ୍ରତାରଣା
ଛଳନା ଓ ବ୍ୟଭିଚାର ।
ଯୋଗ୍ୟ ବ୍ୟକ୍ତି ଠାରୁ ଉଚ୍ଚ ଆଶା କଲେ
ମିଳିଥାଏ ଉଚ୍ଚ ମାନ,
ଅବିବେକୀ ଠାରୁ ବିବେକ ଇଛିଲେ
ଉଣା ହେବ ସିନା ମନ ।
ସାଗର ଜଳରୁ ତୃଷ୍ଣା ମେଣ୍ଟାଇବା
ପାଇଁ ବଳାଇଲେ ମତି,
ବିଷାକ୍ତ ସର୍ପକୁ ଖଣ୍ଡ କ୍ଷୀର ଦେଇ
ରଖିଲେ ଆପଣା କତି।
ଲଭିବ ଦୁର୍ଦ୍ଦଶା ହେବ ହଟହଟା
କଣ୍ଠାଗତ ହେବ ପ୍ରାଣ ,
ଆଶା ଖାଲି ସିନା ଆଶାରେ ରହିବ
ଲକ୍ଷ୍ୟ ନୋହିବ ପୂରଣ ।
ଛାଗଳକୁ ଯେତେ ମେରି ବୁଲେଇଲେ
ମକଚି ହେବକି ଧାନ,
ମିଷ୍ଟ ଫଳ ନେଇ କାକକୁ ଖୋଇଲେ
ଗାଇବକି ରାମ ନାମ ।
ଚଣ୍ଡାଳକୁ ବେଦଜ୍ଞାନ ଶିକ୍ଷା ଦେଇ
ଅନ୍ଧକୁ ଦେଇ ଦର୍ପଣ ,
ମାଙ୍କଡ଼ ଗଳାରେ ରତ୍ନ ହାର ଦେଇ
ହୁଅନାହିଁ ହତଜ୍ଞାନ ।
ସ୍ୱଭାବକେ କାର ସହଜେ ଛାଡିଛି
ସେତ ଜନ୍ମଗତ ରୋଗ ,
ନହୋଇ ନିର୍ବୋଧ ଆରେ ହତଭାଗା
ଚୈତନ୍ଯକୁ ଟିକେ ଜାଗ।
ଏତ ମାୟାଜାଲ ସବୁଠି ଭେଜାଲ
ପିୟୁଷେ ମିଶଇ ବିଷ,
ଚିଜ ନ ପରଖି ପିୟୁଷ ପିଇଲେ
ପିଣ୍ଡୁ ପ୍ରାଣ ହେବ ନାଶ ।
ନକଲି ଚମକେ ଦାଉଦାଉ ହୋଇ
ବେଢେଇ କଲେଇ ପୁଟ୍ଟି,
ନିଷ୍ପନ୍ଦ ନିଷ୍ପ୍ରଭ ଅସଲି ଯାଇଛି
ମନସ୍ତାପେ ଏଠି ଲୁଚି ।
ଲୋକ ଜାଣିବାକୁ ସତ୍ୟର ବିଜୟ
ମିଥ୍ୟା ପିନ୍ଧେ ସତ୍ୟ ମୁଖା ,
ଆତ୍ମ ପ୍ରବନଞ୍ଚନା ବୁଲି ବୁଲି ମାଗେ
ଆତ୍ମ ସମ୍ମାନର ଭିକ୍ଷା ।
କାଚକୁ ନଦିଅ କାଞ୍ଚନର ମୂଲ
ହୀରାକୁ ନମଣ ଗୋଡି,
ଉଚିତକୁ ଦିଅ ଉଚିତ ବେଭାର
ତୃତୀୟ ନୟନ ଖୋଲି ।
ଜ୍ଞାନ ମନ ମୁନ ଧନ ଯଉବନ
ସତପାତ୍ରେ ଦିଅ ଦାନ,
ଅପାତ୍ରରେ ଦେଇ ଅସନ୍ତୋଷ ବୋହି
ହୁଅନାହିଁ ହୀନିମାନ।
ମନ ଭୂଲାଣିଆ ଛଇ ଛବି ଦେଖି
ହେତୁକୁ ନଯାଅ ଭୁଲି,
ଚେତନା କଷଟି ପଥରେ ପରଖ
କିଏ ସୁନା କିଏ କଲି ।
ପରଖି ନହେଲେ ଚୁପ୍ଚାପ୍ ବସ
ଉଲ୍ଲୁକ ପରି ଚାହିଁ,
କେ ପାଣି ଅବା କୁଆଡେ ଯାଏ ବହି;
ସୁଅରେ ନଯାଅ ବୋହି।
ଯଶ ଖ୍ୟାତି ସ୍ଥିତି ପାଇଁକି ତିଳେହେଁ
ସ୍ୱତନ୍ତ୍ରତା ଭୁଲ ନାହିଁ;
ଆତ୍ମ ସମ୍ମାନ ଓ ନୈତିକତା ଜଗି
ମଣିଷଟେ ଥାଅ ରହି ।
ମଣିଷ ପରିକା ମଣିଷଟେ ଥାଅ ରହି ।