STORYMIRROR

NIBEDITA MOHAPATRA

Inspirational

4  

NIBEDITA MOHAPATRA

Inspirational

ଆଶା

ଆଶା

2 mins
460


ସୂକ୍ଷ୍ମ ହୃଦୟର ରୁଦ୍ଧ କୋଠରୀରେ

ଜାଗିଛି ଆଜି ପ୍ରତ୍ୟାଶା

ତବ ସାନ୍ନିଧ୍ୟରେ ପ୍ରାଣ ପକ୍ଷୀ ବାନ୍ଧୁ

ବାଇ ଚଢେଇର ବସା।


ଅଷ୍ଟପଦୀ କାନ୍ତ କୋମଳ ପଦ୍ୟର

ଗାଇଣ ଗୀତଗୋବିନ୍ଦ

ଭକ୍ତିରେ ତଲ୍ଲୀନ ହୋଇ ଲଭୁଥାଉ

ଅପୂର୍ବ ଦିବ୍ୟ ଆନନ୍ଦ।


ମୋହ ମାୟା ବନ୍ଧନରୁ ମୁକ୍ତ ହେଉ

ପାତକୀ ପ୍ରାଣ ସ୍ପନ୍ଦନ

ଅର୍ନ୍ତବେଦନାକୁ ପ୍ରଶମିତ କର

ହେ ଯଦୁକୂଳ ନନ୍ଦନ।


ସକଳ ଐଶ୍ୱର୍ଯ୍ୟ, ମାଧୁର୍ଯ୍ୟକୁ ତେଜି

କରେ ଆତ୍ମ ନିବେଦନ

ସଂସାର ଜଞ୍ଜାଳୁ ପାରି କରିଦିଅ

ପରଂବ୍ରହ୍ମ ଭଗବାନ।


ବିତିଯାଉ ମୋ'ର ସମ୍ପୂର୍ଣ୍ଣ ସମୟ 

ତୁମ ରୂପ ଦର୍ଶନରେ

ସତସଙ୍ଗ କରୁଥିବି ବିହ୍ୱଳ ଚିତ୍ତେ

ପ୍ରେମ ଭକତି ଅନ୍ତରେ।


ହରିନାମ ସଂକୀର୍ତ୍ତନ ଶ୍ରବଣରେ

ଦିନ ରାତି ବିତୁଥାଉ

ନବାକ୍ଷରୀ ଛନ୍ଦେ ପଢି ଭାଗବତ

ଆନନ୍ଦ ଯେ ମିଳୁଥାଉ।


ଭରିଦେଲେ ଭାବ ରାଧାରାଣୀ ପରି

ଶୁଣୁଥିବି ବଂଶୀସ୍ୱନ

ଲୀଳା ମାଧୁର୍ଯ୍ୟରେ ହୋଇ ବିମୋହିତ

କରୁଥିବି ଅଭିମାନ।


କୁଞ୍ଜବନେ ସାଜି ବିରହୀ ପ୍ରେମିକା

ଢାଳିବି ଲୋତକ ଧାର

ରାସ ମଣ୍ତପରେ ସାଜି ସଖୀଟିଏ

ହୋଇବି ଆତ୍ମ ବିଭୋର।


ସୂକ୍ଷ୍ମ ନୟନରେ ଭାସୁ ତୁମ ଛବି

ମିଳନର ଭାବନାରେ

ବିସ୍ମୃତ ହୋଇଯାଉ ସବୁ ଅସ୍ମିତା

ଶ୍ୟାମଘନ ଚେତନାରେ।


ମନନ, ଚିନ୍ତନେ ଲିପ୍ତ ରହି ସଦା

ମିଳିଯାଉ ଆତ୍ମଜ୍ଞାନ

ମୁକତି ଦେଇ ଏ ଅନିତ୍ୟ ସଂସାରୁ

ବ୍ରହ୍ମରେ କର ବିଲୀନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational