STORYMIRROR

NIBEDITA MOHAPATRA

Others

4  

NIBEDITA MOHAPATRA

Others

ହେରା ପଞ୍ଚମୀ

ହେରା ପଞ୍ଚମୀ

1 min
27

ଡାକିଦେଲେ ବୋଲି ମା' ଗୁଣ୍ଡିଚା ରାଣୀ

ଆଷାଢ଼ ଶୁକଳରେ ଶ୍ରୀକ୍ଷେତ୍ର ମଣି

ଛାଡି ଶ୍ରୀମନ୍ଦିରେ ଲକ୍ଷ୍ମୀ ଠାକୁରାଣୀ

ରଥ ଚଢ଼ି ଆସିଲ ଭାଇ ଭ‌ଉଣୀ।


ପତି ବିନା ଦୁଃଖେ ସାଜି ବିରହିଣୀ

ଅଭିମାନ କରିଲେ ସିନ୍ଧୁ ଦୁଲଣୀ

ପରାମର୍ଶ ଦେଲେ ବିମଳା ଭଗିନୀ

ଶ୍ରୀଜିଉ ଦର୍ଶନେ ଯାଅ ପଦ୍ମାସନୀ।


ଘୋଷ ଯାତରାର ପଞ୍ଚମ ରଜନୀ

ପଥେ କରି ଘଣ୍ଟ କାହାଳୀର ଧ୍ବନି

ବିମାନରେ ଚଢି ବିଷ୍ଣୁ ପାଟରାଣୀ

ପହଞ୍ଚିଲେ ଦର୍ଶନାର୍ଥେ ନୀଳମଣି।


ଏକାନ୍ତେ ଭେଟି ପ୍ରଭୁଙ୍କୁ ବିଘ୍ନସେନୀ

ସମ୍ମୁଖେ ତାଙ୍କ ହୃଦ ବ୍ୟଥା ବଖାଣି

ବିନତି କରି କହିଲେ କମଳିନୀ

ଫେରି ଚାଲ ଦେଉଳକୁ ଚକ୍ରପାଣି।


ଏବେ ଯାଇ ପାରିବିନି ନାସ୍ତିବାଣୀ

ଶୁଣାଇଲେ ଯେବେ ତାଙ୍କୁ ବେଣୁପାଣି

ଦଶମୀରେ ବାହୁଡିବେ ବୋଲି ଶୁଣି

ଅପମାନିତ ହେଲେ ମା' ସାଆନ୍ତାଣୀ।


କ୍ରୋଧରେ କମ୍ପିତ ହରିଙ୍କ ଘରଣୀ

ନନ୍ଦିଘୋଷୁ ଖଣ୍ଡେ କାଠ ଭାଙ୍ଗି ପୁଣି

ବଡ଼ଦାଣ୍ଡେ ନ ଆସି କରି ରୋଷଣୀ

ହେରାଗୋହିରୀ ବାଟେ ଫେରିଲେ ଜାଣି।


ନୀଳ କନ୍ଦରରେ ବସି ନାରାୟଣୀ‌

ମହାବାହୁ ଲୀଳା ମନେ ମନେ ଗୁଣି

ପ୍ରତିକ୍ଷା କରିଲେ ଦିବସ ଯାମିନୀ

କେବେ ଯେ ଫେରି ଆସିବେ କଳାମଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍