ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ
ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ
ବାର ଦିନ ପରେ କି ପାଇଁ ଫେରିଲ
ଆହେ ବ୍ରହ୍ମାଣ୍ଡ ଗୋସାଇଁ
ରହି ଯାଇଥାନ୍ତ ମାତୃପୁରେ ତୁମ୍ଭ
ଏଠି ଆଉ କାର୍ଯ୍ୟ ନାଇଁ।
ନିଷ୍ଠୁର ବଚନ କାହିଁ କୁହ ଦେବୀ
ମୁଁ ପରା ତୁମ ଦେବତା
ନ ରହିଲେ ମୁହିଁ ଏ ପୁରରେ କୁହ
କିଏ ହୋଇବ କରତା।
କର୍ତ୍ତା ପଣ ତୁମ ଜାଣିଅଛି ମୁହିଁ
ନ ବୁଝାଅ ଆହେ ସାଇଁ
ଭାରିଜାକୁ ଭୁଲି ଯାଇଥିଲ ବୁଲି
ଧରିଣ ଭଉଣୀ ଭାଇ।
ନିଜ ଇଚ୍ଛାରେ ହରି ବରିଲ ମତେ
ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ
ହେଲେ ଗଇଣ୍ଠାଳ ଫିଟିବା ଆଗରୁ
ଚାଲିଗଲ ଅଣସରେ।
ଆଷାଢ଼ ଶୁକଳ ଦ୍ବିତୀୟାରେ ପୁଣି
ଚଢି ନନ୍ଦିଘୋଷ ରଥ
ଚାଲିଗଲ ତୁମେ ବାହାରକୁ ମତେ
ନ ନେଇ ହେ ଜଗନ୍ନାଥ।
ହେରାପଞ୍ଚମୀରେ ଯାଇଥିଲି ନେଇ
ହାତେ ମୋହିନୀ ଅଞ୍ଜନ
କପଟ କରିଲେ କପଟିଆ ଦିଅଁ
ନ ପାଇଲି ଦରଶନ।
ନନ୍ଦ ଦୁହିତା ତ ତୁମ ଅଲିଅଳି
ତାଙ୍କୁ ସଙ୍ଗେ ଧରି ରୁହ
ଘରଣୀ ପାଖରେ କିବା ଦରକାର
କଳା ଠାକୁର ହେ କୁହ।
ଲକ୍ଷ୍ମୀ ଅଭିମାନ ଉଲୁଗୁଣା ଶୁଣି
ବଡ଼ଭାଇ ହଳପାଣି
କହିଲେ ଆକଟେ ଶେଷ କର କଳି
ଆରେ ବାବୁ ଗୁଣମଣି।
ବିଶ୍ବ ନିୟନ୍ତାଙ୍କ ଅସହାୟତାକୁ
ଦୁହିଁଙ୍କର କଳି ପୁଣି
କି ଅଦ୍ଭୁତ ଏହି ମାନବୀୟ ଲୀଳା
ଦେଖି ହସନ୍ତି ଭଗିନୀ।
କଳାକାହ୍ନୁ ଦେଖି ଭଉଣୀର ହସ
ଶୁଣି ଭାଇଙ୍କ ଆକଟ
ଲଜ୍ଜା ପାଇ ଶାନ୍ତ କରିବାକୁ କୋପ
ଦେଲେ ଅଳଙ୍କାର ପାଟ।
ତଥାପି ନ ମାନିବାରୁ ପଦ୍ମାଳୟା
ମୃଦୁ ହାସ୍ୟେ ଚକ୍ରପାଣି
ଛାଚି ମିଶା ଛେନା ରସଗୋଲାଟିଏ
ଖୁଆଇଲେ ହାତେ ଆଣି।
ହଜିଗଲା ହୃଦୟରୁ ଅଭିମାନ
ସାଆନ୍ତାଣୀ ଦେଲେ ହସି
ବନ୍ଦାପନା କରି ଡାକିଲେ ମନ୍ଦିରେ
ଆସ ଯଦୁକୁଳ ଶଶୀ।
