STORYMIRROR

Mishra Manasi

Inspirational

4  

Mishra Manasi

Inspirational

ମାଆ

ମାଆ

1 min
232


ମମତା ଫଲ୍ଗୁ ନିର୍ଝର ଝର

ମାତୃ ହୃଦୟ ଧାରା

ସ୍ୱଚ୍ଛ ନିର୍ମଳ ପବିତ୍ର ସୁଧା

ବାତ୍ସଲ୍ୟ ପ୍ରେମ ଭରା ।1


ତ୍ୟାଗ ବଳିଷ୍ଠ ପ୍ରତିମୂର୍ତ୍ତି ସେ

କରୁଣା ଦୟାମୟୀ

ପ୍ରାଣ ସଂଚାରି ସୋହାଗ ଭରେ

ଅଭୟ କ୍ଷମା ଦାୟୀ ।2।


ସମର୍ପି ପ୍ରାଣ କୃପା ବରଷି

ସଂସାର ନଦୀ ନୀରେ

ବାହୀନିଏ ସେ ଜୀବନ ତରୀ

ଅସୀମ ସାହସରେ ।3।


ମରୁକାନ୍ତରେ ଫୁଟାଏ ଫୁଲ

ଉତ୍ସର୍ଗୀ ପ୍ରାଣ ବିନ୍ଦୁ

ଲଙ୍ଘିକେ ପାରେ ଦୃଢ଼ ବିଶ୍ୱାସ

ଧଇର୍ଯ୍ୟ ମହାସିନ୍ଧୁ ।4।


ବକ୍ଷୁ ନିଗାଡି ଅମୃତ ରସ

ସନ୍ତାନ ମୁଖେ ଢାଳେ

ଶକ୍ତିସ୍ୱରୂପୀ ଆପଦେ ରଖେ

ପଣତ ଆଢୁଆଳେ ।5।


ହେଉ ଦିବ୍ୟାଙ୍ଗ ସନ୍ତାନ ତାର

ମା"ପାଇଁ ଚନ୍ଦ୍ର ପରି

ସାରା ସଂସାର ସୁଷମା ଠୁଳ

ନୋହିବେ ତାର ସରି ।6।


ମା" କୋଳ ତେଜି ନଉଠୁ ସୂର୍ଯ୍ୟ

ପହିଲେ ଶଯ୍ୟା ତ୍ୟାଗୀ

ମୁଣ୍ଡ ଝାଳକୁ ତୁଣ୍ଡେ ବୁହାଇ

କର୍ତ୍ତଵ୍ୟେ ଥାଏ ଲାଗି ।7।


ଲୋଡ଼େନା କେବେ ମାନ ସମ୍ମାନ

ମର୍ଯ୍ୟଦା ପରିବାରେ

ସଭିଙ୍କ ସୁଖ ଅକୁଣ୍ଠ ଚିତ୍ତେ

ମନାସେ ଶ୍ରୀପୟରେ ।8।


ମଣେ ସେ ହୀନ ଭୋଗ ବିଳାସ

ନିଜର ରକ୍ତ ପାଇଁ

ବ୍ୟଥା ବେଦନା ଦୁଃଖ ଯାତନା

କା"ଆଗେ କହେ ନାହିଁ ।9।


ଦିବସ ରାତି ଦେହୁ ଅଜାଡି

କେତେ ଯେ ଲହୁଲୁହ

ସକଳ ବୋଝ ମୁଣ୍ଡାଇ ଚାଲେ

ଲୁଚାଇ ମନ କୋହ ।10।


ଆକାଶସମ ହୃଦୟ ତଳୁ

ଆଶିଷ ଫୁଲ ଝରେ

ତାର ଶରଧା ମୂଲ ଗଣିବ

କେ ଅଛି ମହୀତଳେ ।11।


ଧୈର୍ଯ୍ୟେ ପୋତିବ ମଥା ହିମାଦ୍ରୀ

ଜନନୀ ପାଦ ତଳେ

ନୀଳ ସାଗର ଲୋଟିବ ମଥା

ମାଆ ଅଞ୍ଚଳତଳେ ।12।


ସନ୍ତାନ ହସ ତାହାରି ସୁଖ

ତୁଚ୍ଛ ଅମରାବତୀ

ଗରବେ ମଣେ ସଂସାରେ ଶ୍ରେଷ୍ଠ

ଏକା ସେ ଭାଗ୍ୟବତୀ ।13।


ସହନଶୀଳା ଧରିତ୍ରୀ ସିଏ

ମମତା ମନ୍ଦାକିନୀ

ଚିର ନମସ୍ୟା ଚିର ପୂଜିତା

ଜଗତ ସୁକଲ୍ୟାଣୀ ।14।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational