ଜୀବନ ସ୍ଵାକ୍ଷର
ଜୀବନ ସ୍ଵାକ୍ଷର
ସଂସାରଟା ମଧୁମୟ
ଶାନ୍ତ କାନ୍ତ କମନୀୟ
ବାରେ ଆଖି ଖୋଲି ଚାହଁ
ପୁରିଅଛି ଜୀବନର ଅମୃତ ସମ୍ଭାର।
ହେଉ ମାଆର ପରଶ
ହେଉ ଅବା ଶିଶୁ ହସ
ହେଉ ସହକାର କୁଞ୍ଜେ
କୋଇଲିର ମିଠା ମିଠା କୁହୁକୁହୁ ସ୍ଵର।
ଆଷାଢ଼ ଆଗମନରେ
ପହିଲି ବରଷାଧାରେ
ଝିଙ୍କାରିର ସୁରେ ସୁରେ
ହେଉ ଅବା ସଦ୍ୟସ୍ନାତା ଧରଣୀର ବାସ୍ନା।
ହେଉ ବାଡ଼ି ଅଗଣାର
ସଞ୍ଜୁଆ ମଲ୍ଲୀ ମହକ
ଅବା ଶରଦ ଆକାଶେ
ରାକା ରଜନୀର ସେଇ ପୁଲକିତ ଜ୍ୟୋସ୍ନା।
ହେଉ ଅବା ଲାସ୍ୟମୟୀ
ନବପରିଣୀତା ପତ୍ନୀ
ଅବଗୁଣ୍ଠନ ତଳର
ଗୋଲାପୀ ଓଠର ସେହି ନିରବ ଦଂଶନ।
କିବା ବାଣୀ ବୀଣା ସମ
ମଧୁର ଝଙ୍କାର ତୋଳି
ବନଗିରି କନ୍ଦରରୁ
ବହୁଥିବା ଝରଣାର କୁଳୁକୁଳୁ ତାନ।
ଧରଣୀ ଠାରୁ ଆକାଶ
ଦେଖ ଜୀବନ- ପ୍ରକାଶ
ନିଃଶବ୍ଦ ଓଁକାର ନାଦେ
କରୁଅଛି ମୃତ୍ୟୁ -ସଞ୍ଜିବନୀ ବିତରଣ।
ପିଅ ସେ ଜୀବନ- ସୁଧା
ଲାଗିବନି ମୃତ୍ୟୁ ବାଧା
ମରି ମରି ବଞ୍ଚିବାଟା
ନୁହଁଇ ଜୀବନ ସେ ତ କାପୁରୁଷପଣ।
ସବୁଠି ଅମୀୟ ଧାରା
ଖୋଲା ଅମୃତ ପସରା
ଭର ଜୀବନ- କଳସ
ମନରୁ ଦୂରେଇ ଦେଇ ମରଣର ଡର।
କର୍ମର ଗାଣ୍ଡିବ ଧର
ଲଢ ଜୀବନ ସମର
ପିନ୍ଧିବ ବିଜୟ ଟୀକା
ମରଣ ବୁକୁରେ କରି ଜୀବନ ସ୍ଵାକ୍ଷର।