ଭାବନା ଗୋ
ଭାବନା ଗୋ
ଭାବନା ଗୋ ! ତୁମେ ମନ-ବଗିଚାରେ
ଫୁଟ କେବେ ଫୁଲ ହୋଇ।
ହୃଦ-କନ୍ଦରରୁ ବହିଯାଅ କେବେ
ହୋଇଣ ପ୍ରଗଳ୍ଭା ନଈ ।
ମନ-ଆକାଶରେ ହସ ତୁମେ କେବେ
ହୋଇ ଏକ ସନ୍ଧ୍ୟାତାରା।
ମନ-ବନାନୀରେ ଝର ତୁମେ କେବେ
ହୋଇଣ ବରଷା ଧାରା।
ନୟନ କୋଣରୁ ବହିଯାଅ ତୁମେ
ହୋଇ କେବେ ଲୁହଧାର।
ଓଠଧାରେ କେବେ ଆଙ୍କି ହୋଇଯାଅ
ସାଜି ହସର ଜୁଆର।
ଝାଉଁ ବଣ ଫାଙ୍କେ ଦିଶ ତୁମେ କେବେ
ହୋଇ ଅମାନିଆ ଜହ୍ନ।
ହୁଅ ତୁମେ କେବେ ସାଗରବେଳାରେ
ଅତୀତର ପାଦଚିହ୍ନ।
ମନ-ଅଗଣାରେ ବାଜ ତୁମେ କେବେ
ସାଜି ପ୍ରିୟାର ନୂପୁର।
ମନ-ବାତାୟନେ ବହିଆସ କେବେ
ହୋଇ ମଳୟ ସମୀର।
ଜୀବନ-ବୀଣାରେ ବାଜ ତୁମେ କେବେ
ହୋଇ କରୁଣ ରାଗିଣୀ।
ବିଭୁ ପାଦପଦ୍ମେ ଝରିଯାଅ କେବେ
ସାଜି ଭକ୍ତି-ମନ୍ଦାକିନୀ।
ତୁମ ଯୋଗୁଁ ମୋର ଜୀବନଟା ସିନା
ନାନା ରୂପରଙ୍ଗେ ଭରା।
ଭାବନା ଗୋ ! ତୁମେ ଏକାନ୍ତ ନିଜର
ମୋ ସୁଖ-ଦୁଃଖ ପସରା।
____________________________
@ ବିଶ୍ଵନାଥ ନାୟକ
