ପ୍ରେମ ଓ ଘୃଣା --------------
ପ୍ରେମ ଓ ଘୃଣା --------------
ପ୍ରେମ ଓ ଘୃଣା
-----------------
ମନେ ପ୍ରେମ ଥିଲେ ପଥର ମୂର୍ତ୍ତିରେ
ଈଶ୍ଵରଙ୍କ ଛବି ଦିଶେ।
ମନ ଅଗଣାଟା ପୁଲକିତ ହୁଏ
ଅପୂର୍ବ ଦିବ୍ୟ ସୁବାସେ।
ପଥର ମୂର୍ତ୍ତିରେ ଜୀବନ ସଞ୍ଚରେ
ଲାଗେ ତା ଅତି ନିଜର।
ବିଶ୍ୱାସରେ ସବୁ ନିଜସ୍ଵ ଯନ୍ତ୍ରଣା
ବଖାଣେ ତା ଆଗେ ନର।
ପ୍ରେମଭାବ ବଳେ ନିର୍ଜୀବ ପଥର
ସଜୀବ ଦୃଷ୍ଟିରେ ଚାହେଁ।
ଅହଙ୍କାର ଛାଡ଼ି ମନୁଷ୍ୟ ନିଜକୁ
ତା ପାଶେ ସମର୍ପି ଦିଏ।
ପଥର ମୂର୍ତ୍ତିଟି ମନୁଷ୍ୟ ଆଖିକୁ
ଅମୃତମୟ ଦିଶଇ।
ହୃଦୟ କନ୍ଦରୁ ଭକ୍ତି ମନ୍ଦାକିନୀ
ନିଃଶବ୍ଦେ ଝରି ଆସଇ।
ଯାହା ପ୍ରତି ଘୃଣା ଥାଏ ସେ ମନୁଷ୍ୟ
ପଥର ପରାୟ ଲାଗେ।
ସ୍ନେହ ବଦଳରେ ମନରେ ତା ପ୍ରତି
ଅନାଦର ଭାବ ଜାଗେ।
ଯେଉଁ ମନୁଷ୍ୟର ହୃଦେ ବିରାଜିତ
ସ୍ଵୟଂ ପ୍ରଭୁ ଭଗବାନ।
ଘୃଣା ଥିଲେ ମନେ ତା ପ୍ରତି ସେ ଦିଶେ
ପଥର ଖଣ୍ଡ ସମାନ।
ପଥରଖଣ୍ଡକୁ ଅନାଦର କରି
ଦୂରକୁ ଫିଙ୍ଗିଲା ପରି।
ଚାହେଁ ନର ତାକୁ ନିଜ ଜୀବନରୁ
ଦେବା ପାଇଁ ଦୂର କରି।
ପ୍ରେମରେ ପଥର ଜୀବନ୍ୟାସ ପାଏ
ପ୍ରେମଟି ଅଟେ ଜୀବନ।
ଘୃଣାରେ ସଜୀବ ଲାଗଇ ପଥର
ଘୃଣାଟି ମୃତ୍ୟୁ ସମାନ।
ପ୍ରେମଟି ବିକାଶ ପ୍ରେମ ବଳେ ନର
ଜୀବନେ ଲଭେ ପୀୟୂଷ।
ଘୃଣାଟି ବିନାଶ ଘୃଣା ଥିଲେ ମନେ
ନର ଲଭେ ଖାଲି ବିଷ।
-----------------------------------------
© ବିଶ୍ଵନାଥ ନାୟକ
