STORYMIRROR

Manmath Kumar Das

Inspirational

3.3  

Manmath Kumar Das

Inspirational

ନିଦାଘ

ନିଦାଘ

2 mins
414



‌‌ଶୁଭିଲାଣି କୋକିଳ ଚଞ୍ଚଳ ସ୍ୱନ

ନିଦାଘ ଭୟେ ତାର ଉଚ୍ଛନ୍ନ ପ୍ରାଣ।।


ହଳଦୀ ବସନ୍ତ ଯେ ନିଦାଘ ତ୍ରାସେ

ଲୁଚିଣ ଅଛି ଯାଇ ସେ ପରବାସେ।।


ସତ୍ୟ ଧର୍ମ ଯେସନେ ଗିରି କନ୍ଦରେ

ଲୁଚିଣ ଛନ୍ତି ଯାଇ କଳି ଭୟରେ।।


ମଉଳିଛି ପଳାଶ ନିଦାଘ ଭୟେ

ଆତ୍ମାର ଡରେ ପଞ୍ଚ ଇନ୍ଦ୍ରି ପରାୟେ।।


ମଲ୍ଲି କୁସୁମ କରଯୋଡି ଜଣାଏ

ଲୁଚିଛି ମଧୁକାଳ ତୁମରି ଭୟେ।।


ମାତ୍ର ପ୍ରବାଳ ବର୍ଣ୍ଣ ବୋଳି ଦେହରେ

ଠିଆ ହୋଇଛି ପାଳଧୁଆ ଛାମୁରେ।।


ନିଦାଘ ଭୟେ ଆମ୍ବ ବଉଳ ଦେଖ

ପିଲାଙ୍କୁ କରିଯାଇଅଛି ନିରେଖ।।


ଯେସନେ ଆତ୍ମଜ୍ଞାନୀ ବିବେକ ଡରେ

ଭବ ଜଞ୍ଜାଳମାନ ତେଜେ ବେଗରେ।।


ଭୟରେ କ୍ଷୀଣ ହେଲେ ତଟିନୀ ସ୍ରୋତେ

ବିବେକ ଯଥା ଷଡ଼ରିପୁଙ୍କ ଘାତେ।।


ପଲ୍ଲବମାନ ତେଜି ମା'ର କୋଳ

ଆଶ୍ରୟ ନେଲେ ଯାଇ ଧରଣୀତଳ।।


ଯଥା ଅଜ୍ଞାନ ଭୟ ଯିବାକୁ ଏଡି

ବିବେକୀ ଯେହ୍ନେ ବିଭୁ ଶରଣ ଲୋଡି।।


ଲୁଚିଗଲେ ଶ୍ୟାମଳୀ ନିଦାଘ ଡରେ

ତେଜି ପଣତ କାନି ଧରା ପୃଷ୍ଠରେ।।


ଜଳର ମାୟା ସୃଜି ପଥେ ଉଷରେ

ଅବତୀର୍ଣ୍ଣ ନିଦାଘ ଧରା ପୃଷ୍ଠରେ।।


ତାହାର ଆଦେଶରେ ଝିଙ୍କାରି ଗଣ

ଉଚ୍ଚେ ଘୋଷିଲେ ତାହାର ଆଗମନ।।


ପ୍ରତାପଶାଳୀ ନିଦାଘ ଉପସ୍ଥିତି

ସକଳ ପ୍ରାଣୀମନେ ଆଣିଛି ଭୀତି।।


ନିରେଖି ଦେଖ ଭାଇ ମହାଦୃମକୁ

ରକତ ନେତ୍ରେ ଚାହିଁଛନ୍ତି ଖରାକୁ।।


ଏସନ ରୂପ ଦେଖ

ି ମହାଦୃମର

ଭୟରେ ଯୋଡିକର ନିଦାଘ ବୀର।।


ଆତ୍ମଜ୍ଞାନୀ ସମୀପେ ସଂସାର ଦୁଃଖ

ଥିଲାକ ପ୍ରାୟ ହୋଇ ଅଛି ବିମୁଖ।।


ନତମସ୍ତକେ ହୋଇଛନ୍ତି ଦଣ୍ଡାୟ

ଆତ୍ମା ସମୀପେ ସର୍ବ ଇନ୍ଦ୍ରି ପରାୟ।।


ଭାଷଇ ଗ୍ରୀଷମରେ ପ୍ରାଣୀଏ ଯେବେ

ତୋ ଛାୟା ଆଶ୍ରା କରି ରହିଣ ଥିବେ।।


ଦଣ୍ଡିବ ନାହିଁ ତାଙ୍କୁ ମୋ ରାଜଦଣ୍ଡ

ମୃଦୁ ମଳୟେ ତୃପ୍ତ ହୋଇବ ପିଣ୍ଡ।।


ତେଣୁ ନିଦାଘ କାଳେ ବଟର ତଳ

ଆଶ୍ରିତ ପ୍ରାଣୀ ପ୍ରାଣେ ଭରେ ଶୀତଳ।।


ମାୟାର ଏ ନିଦାଘେ ସନ୍ତପ୍ତ ଯେତେ

ଆଶ୍ରୟ ନିଅ ବିଭୁ ବଟର ଶୀତେ।।


ନିଦାଘ ପରବେଶ ବାରତା ଜାଣି

ଭୟେ କବାଟ କିଳି ଦେଲେ ଘରଣୀ।।


କାହାକୁ ନ ଦେଖିଣ ନିଦାଘ ବୀର

କ୍ରୋଧରେ ଛାଡୁଅଛି ଶ୍ୱାସ ପ୍ରଖର।।


ସେ ମହା କୋପୁଁ ପ୍ରାଣୀ ରଖିବା ପାଇଁ

ପଣା ସଂକ୍ରାନ୍ତି ଦ୍ରୁତେ ଆସିଲା ଧାଇଁ।।


ତୁଳସୀ ମୂଳେ ଢ଼ାଳି ଠେକିରେ ଜଳ

କହିଲା ରଖ ପ୍ରାଣୀଙ୍କୁ ଆଦିମୂଳ।।


ଦେଖ ଦେଖ ଅଗ୍ରତେ କୃଷ୍ଣଚୁଡାକୁ 

ହସୁଛି ଖିଲି ଖିଲି ତେଜି ଡରକୁ।।


ସ୍ଵାଗତ କରିବାକୁ ନିଦାଘ ବୀରେ

ସହାସ୍ୟେ ଠିଆ ହୋଇଅଛି ମହୀରେ।।


ଶିଖାଉଅଛି ଯିଏ ବିପଦ କାଳେ

ଅଧିର ନ ହୋଇଣ ରହେ ନିଶ୍ଚଳେ।।


ସେହି କେବଳ ବିଭୁ କରୁଣା ଲଭେ

ଭାଗ୍ୟବାନ ସେ ଅଟେ ଏ ମାୟା ଭବେ।।


ଜୀବନର ନିଦାଘେ ଦଣ୍ଡେ ସମନ

ବେଳୁଁ ରେ ମନ ଯାଅ ଜ୍ଞାନେ ଶରଣ।।


 


Rate this content
Log in

Similar oriya poem from Inspirational