ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ଅଦିନିଆ ଝଡ଼ ଭାଗ୍ୟ ଆକାଶରେ
ଅଚାନକ ଆସେ ମାଡ଼ି
ଆଖିରୁ ମୋହର ଶ୍ରାବଣର ଧାରା
ଅହରହ ଯାଏ ଗଡି ॥
ଅତଳ ଗଭୀର ସଂସାର ସାଗରେ
ଅଲୋଡ଼ା ଭାଗ୍ୟ ମୋ ସାଥି
ଆଖି ଖୋଜୁଥାଏ ବଞ୍ଚିବା ସାହାରା
ଅତୀତକୁ ଝୁରି ନିତି ॥
ଅଚାନକ ଦିନେ ଭେଟ ହୋଇଗଲ
ଆଶାର ମଶାଲ ଧରି
ଅସୁମାରୀ ସ୍ୱପ୍ନ ଦେଖେଇଲ ମୋତେ
ଆପଣାର ନେଲି କରି ॥
ଅଳିକ ଆନନ୍ଦେ ବିଭୋର ମୁଁ ହେଲି
ଅତି ନିକଟରୁ ପାଇ
ଆମ ସପନରେ ନାୟିକା ସାଜିଲ
ଅଖ୍ୟାତ ନାୟକ ମୁହିଁ ॥
ଅଜଣା ରାଇଜେ ଚାଲିଯିବା ବୋଲି
ଅଳି ଶୁଣୁଥିଲି ତୁମ
ଆମ କଳ୍ପନାର ମହଲ ତୋଳିବା
ଅମର ହୋଇବ ପ୍ରେମ ॥
ଆମ ଗତି ପଥ ହୋଇଲା ବିଭକ୍ତ
ଆପଣାରୁ ହେଲ ପର
ଅଜଣା ସାଥୀର ହାତ ଧରି ତମେ
ଆନେ ଗଢିଲ ସଂସାର ॥
ଆମ ପ୍ରେମ ଏବେ ସ୍ମୃତିର କାହାଣୀ
ଅତୀତ ଯାଇଛି ହଜି
ଅମାନିଆ ମନ ବୁଝୁନାହିଁ କେବେ
ଆଉ ପାଇବିନି ଖୋଜି ॥
ଅନ୍ୟ କାହା ପାଇଁ ଜନମ ତୁମର
ଅଧା ରହିଲା ସପନ
ଅତୀତ ସ୍ମୃତିକୁ ବୃଥାରେ ଅଣ୍ଡାଳି
ଅସ୍ଥିର ହେଉଛି ମନ ॥
ଅସହ୍ୟ ଯନ୍ତ୍ରଣା ହୃଦୟ ଭିତରେ
ଅଭୁଲା ପ୍ରୀତିକୁ ଝୁରି
ଆନମନା ହୋଇ ରହିଛି ଅନେଇ
ଆସିବୁ କେବେ ଲୋ ଫେରି ॥
