STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

ବିବର୍ତ୍ତନ

ବିବର୍ତ୍ତନ

2 mins
53


ଏବେ କଳିକାଳ ଭଲ ନାହିଁ ବେଳ
            ଧର୍ମ ଏକ ପାଦେ ଠିଆ 
ବିଧର୍ମୀଙ୍କ ସଂଖ୍ୟା ଧର୍ମୀଠୁ ଅଧିକା 
            ବହୁଛି ଅଧର୍ମ ବାଆ ॥୧

ମିଥ୍ୟାର ରାଜୁତି ସତ୍ୟଠାରୁ ବେଶୀ 
              ନ୍ୟାୟ ହୁଏ ବିକାକିଣା  
ଦୋଷୀଙ୍କ ସପକ୍ଷେ ଓକିଲଙ୍କ ତର୍କେ 
            ବିଚାରକ ବାଟବଣା ॥୨

ଦେଇ ମିଥ୍ୟା ସାକ୍ଷୀ ଦୋଷୀ ଯାଏ ଖସି 
                  ନିର୍ଦ୍ଦୋଷଟି ଯାଏ ଫସି 
ମିଛୁଆ ମୁହଁରେ      ହସ ମହୁ ଝରେ  
               ସତିଆ କାନ୍ଦଇ ବସି ॥୩

ବିଦ୍ୟାରେ ଧନୀକ ସଂସାରେ ଦରିଦ୍ର 
                 ପାଏନାହିଁ ସନମାନ  
  ମୂର୍ଖ ବ୍ୟକ୍ତି ହୋଇ ଧନରତ୍ନ ପାଇଁ 
         ପାଏ ସେ ଉଚ୍ଚ ଆସନ ॥୪

ଅର୍ଦ୍ଧ ଶିକ୍ଷିତଟି  ହୋଇ ଅଧିକାରୀ 
               ହୁକୁମ କରଇ ଜାରି 
ପାଠୁଆ ପିଅନ ତା'ର ଆଜ୍ଞାଧୀନ   
         ଆସୁଛି ଫାଇଲି ଧରି ॥୫

ସମାନ ପଦବୀ ସ୍ଥାୟୀ ଓ ଅସ୍ଥାୟୀ  
             ଦରମାରେ ତାରତମ୍ୟ 
ସ୍ଥାୟୀ ଚାକିରିଆ ଦରମା ବଢିଆ 
         ଅସ୍ଥାୟୀ ଦରମା ନିମ୍ନ ॥୬
      
ପଦବୀ ଅସ୍ଥାୟୀ ଯୋଗୁ ଭୟ ପାଇ 
           ବ୍ୟକ୍ତି କରେ ବେଶୀ ଶ୍ରମ 
ସ୍ଥାୟୀ କର୍ମଚାରୀ. ଅବହେଳା କରି 
         କରେ ନାହିଁ ନିଜ କର୍ମ ॥୭

ତିରିଶ ବରଷ    ଚାକିରୀ କଲେ ବି   
               ପେନ୍ସନ ପାଇବା କଷ୍ଟ 
ଥରେ ଜିତି ଯାଇ ନେତା ହୋଇଗଲେ 
             ପେନ୍ସନ ମିଳିବା ସ୍ପଷ୍ଟ ॥୮

ଦୁଗ୍ଧ ବେପାରୀଟି ବୁଲେଇ ବିକିଲେ   
              ଭାଣ୍ଡ ତା ହୁଏନି ଖାଲି 
 ମଦ ଦୋକାନରେ ଗରାଖଙ୍କ ଧାଡି 
         ନାହିଁ ସେଠି ମୂଲାମୂଲି ॥୯

ପେଶାରେ ଗଣିକା ଲିଭାଏ ଜୀବିକା  
              ସମାଜେ କରନ୍ତି ଘୃଣା 
ଲମ୍ପଟ କାମୁକ ହୋଇ ବେଶ୍ଯାସକ୍ତ
         ଉତ୍ତମ ପୁରୁଷେ ଗଣା ॥୧୦
        
   ଜୀବନ୍ତ ଠାକୁର ମୁହଁରେ ଆହାର  
              ଦେବାକୁ ପଇସା ନାହିଁ 
ଭୋଗ ନଇବେଦ୍ୟ ଶ୍ରଦ୍ଧାରେ ଦିଅନ୍ତି 
         ମଠ ମନ୍ଦିରକୁ ଯାଇ ॥୧୧

     ଗୃହପାଳିତରେ କୁକୁର ବିଲେଇ 
            ଆଦରେ ହୁଅନ୍ତି ପୋଷା 
ଗାଈଗୋରୁ ଏବେ ରାସ୍ତାରେ ବୁଲନ୍ତି 
        ସହି ଶୀତ ଖରା ବର୍ଷା ॥୧୨

     ବୃଦ୍ଧ ବାପମାଆ ଘରକୁ ଅଡୁଆ 
             ଜରାଶ୍ରମେ ତାଙ୍କ ବାସ 
 କୁତ୍ତାକୁ ଆଦରେ ଶୁଆନ୍ତି ପାଖରେ   
       ଖୋଇ କ୍ଷୀର ମାଛ ମାଂସ ॥୧୩

ଯୌଥ ପରିବାର ଭାଙ୍ଗି ଛାରଖାର 
           ଭାବରେ ଅଭାବ ହୋଇ 
ସ୍ୱାମୀ ସ୍ତ୍ରୀ ମିଶି ଛୋଟ ପରିବାରେ  
       ରୁହନ୍ତି ପିଲାକୁ ନେଇ ॥୧୪

   ଯୁଗଧର୍ମ ନାମେ ବଦଳେ ମଣିଷ 
               ସଭ୍ୟତାକୁ କରି ଆଳ 
  ସମୟ ଆସିବ ଭୋଗିବାକୁ ହେବ 
           ବିବର୍ତ୍ତନ କର୍ମ  ଫଳ ॥୧୫
        
~~~~~~~~*******~~~~~~~~


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational