ସିଧାକଥା -104 : ମାଆ
ସିଧାକଥା -104 : ମାଆ
ମରଣ ଆସିବ ଯେଉଁଠି ସେଇଠି ଥାନ କି ଅଥାନ ନାହିଁ,
ସଭିଙ୍କ ଜନମ ଗୋଟିଏ ଜାଗାରେ ମାଆକୋଳ ଏକା ସେହି |
ସଭିଏଁ ଖୋଜିବେ ଆମ ଠାରୁ ଧନ ଦରକାରୀ ସହଯୋଗ,
ମାଆ କେବେ କିଛି ଚାହେନା, କହିବ ମୋର ପୁଅ କରୁ ଭୋଗ |
ସଭିଏଁ ଆମର ଦୋଷ-ତ୍ରୁଟି ଖୋଜି ନେଉଥିବେ ମଜା ହସି,
ମାଆ କେବେ ଦୋଷ ଦେଖି ପାରେ ନାହିଁ ଗୁଣ ଖୋଜୁଥିବ ବସି |
ସଭିଏଁ କହିବେ ବଡ଼ ହେଇଗଲୁ ମୋଟା ଦିଶିଲୁଣି ଏବେ,
ମାଆର ଆଖିକୁ ମୋଟା ଦିଶିବନି ବଡ଼ ଦିଶେ ନାହିଁ କେବେ |
ସଭିଏଁ ଚାହିବେ ଯେଉଁ ମନ ନେଇ ଭିତରେ କପଟ ଥିବ,
ମାଆ ମନସଫା ମମତାରେ ଭରା ସବୁଖୋଲି କହିଦେବ |
ଅସୁସ୍ଥ ହୋଇଲେ ସଭିଏଁ କହିବେ ଡାକ୍ତରଖାନାକୁ ନିଅ,
ଗୁହାରି କରେ ମା' ଠାକୁରାଣୀ ପାଶେ ତାକୁ ଭଲ କରିଦିଅ |
ବାଦ୍ୟ-ଯନ୍ତ୍ର ନେଇ ସୁର-ତାଳ ଦେଇ ସଭିଏଁ ଗାଆନ୍ତି ଗୀତ,
ମାଆର ଅଭୁଲା ଗୁଣୁଗୁଣୁ ସୁର ଉଚ୍ଚାଟ କରେ ମୋ ଚିତ୍ତ |
ଅସହିଷ୍ଣୁ ହୋଇ ସଭିଏଁ ଜଗିବେ ନେବାପାଇଁ ପ୍ରତିଶୋଧ,
କ୍ଷମାମୟୀ ମାଆ ସବୁ ଭୁଲିଯିବ କଲେ ଯେତେ ଅପରାଧ |
