କବିତା : ଆମରି ମାଆ
କବିତା : ଆମରି ମାଆ
ଯେଉଁ ଦେବୀର ମନ୍ଦିର ନାହିଁ ସେହି ଦେବୀ ତ-ଆମରି ମାଆ,
ଯେଉଁ ନଦୀର ଜଳ ପବିତ୍ର ସେହି ନଦୀ ତ-ଆମରି ମାଆ |
ଯେଉଁ ପର୍ବତ ସବୁଠୁଁ ଉଚ୍ଚ ତା'ଠାରୁ ଉଚ୍ଚ-ଆମରି ମାଆ,
ଯେଉଁ ଫଳରେ ମଧୁର ଜଳ-ନଡ଼ିଆ ଗଛ-ଆମରି ମାଆ |
ଆକାଶ ପରି ବଡ଼ ଯା' ହୃଦ ଅମୃତ ଝରା-ଆମରି ମାଆ,
ଗୋମାତା ପରି ଭାରି ଉଦାର ମଧୁରେ ଭରା-ଆମରି ମାଆ |
ଯେଉଁ କଥାଟି ସବୁଠୁ ମିଠା ସେକଥା କହେ-ଆମରି ମାଆ,
ଧରିତ୍ରୀଠାରୁ ବହୁ ଅଧିକ ଜଞ୍ଜାଳ ସହେ-ଆମରି ମାଆ |
ଦୀପାହୋଇ ସେ ଆଲୋକ ଢାଳି ଅନ୍ଧାରେ ରହେ-ଆମରି ମାଆ,
ଅଭାବବେଳେ ଆମକୁ ଖୋଇ ଉପାସେ ଶୁଏ-ଆମରି ମାଆ |
ସକଳ ତୀର୍ଥ ତା'ର ଚରଣେ ଜାଣେନା ନିଜେ-ଆମରି ମାଆ ,
ଆମରି ଘର ସଂସାର ପାଇଁ ସେବାରେ ହଜେ-ଆମରି ମାଆ |
କରୁଣାମୟୀ ମମତାମୟୀ କ୍ଷମାଦାୟିନୀ-ଆମରି ମାଆ,
ଅନ୍ନପୂର୍ଣ୍ଣା ସେ ଘରେ ଘରଣୀ ଶିକ୍ଷାଦାୟିନୀ-ଆମରି ମାଆ |
ପଣତ ଢାଙ୍କି ରଖେ ଆମକୁ ସୁରକ୍ଷା ଦିଏ-ଆମରି ମାଆ,
କାହାର ଦୁଃଖ ସହି ପାରେନା ଛାନିଆଁ ହୁଏ-ଆମରି ମାଆ |
ସକଳ ଶକ୍ତି ତା'ଠାରେ ଠୁଳ ପ୍ରକୃତିରାଣୀ-ଆମରି ମାଆ,
ଜୀବ ଜୀବନ ଜଗତନାଥ ମଥାର ମଣି-ଆମରି ମାଆ |