ସିଧାକଥା କବିତା-122 : ଛୋଟ ନୁହେଁ ହୀନ -ଡକ୍ଟର କୃତ୍ତିବାସ ନାୟକ
ସିଧାକଥା କବିତା-122 : ଛୋଟ ନୁହେଁ ହୀନ -ଡକ୍ଟର କୃତ୍ତିବାସ ନାୟକ
ପଦେ କଥାରେ ବଡ଼ ସମସ୍ୟା ଝଗଡ଼ା ହୁଏ ଦୂର,
ଗୋଟିଏ ଶବ୍ଦ ଦିଏ ଆଘାତ ବନ୍ଧୁକୁ କରେ ପର |
ଟିକେ ହସରେ ଅଜଣା ଲୋକ ହୋଇଯାଏ ନିଜର,
ନଖେ ଔଷଧ ପୁରୁଣା ରୋଗ ଯନ୍ତ୍ରଣା କରେ ଦୂର |
ଟିକିଏ ସେବା ଟିକିଏ ଦେବା ମନରେ ରହିଯାଏ,
ଆହା କି ବାହା ଶବ୍ଦରେ ପୁଣି ମନ ଉଚ୍ଚାଟ ହୁଏ |
କାହାର ହାତ ଛୁଆଁରେ ଟିକେ ହୃଦୟ ଉଠେ ଥରି,
ଠୋପାଏ ବିଷ ବିରାଟ ଜନ୍ତୁ ହାତୀକୁ ପାରେ ମାରି |
ବକଟେ ଛୁଆ ବଡ଼ ହୋଇଲେ ଦେଶ ଶାସନ କରେ,
ଭୂତାଣୁ ରୂପ କ୍ଷୁଦ୍ର ହେଲେ ବି ସଂସାର ତାକୁ ଡରେ |
ଟିକିଏ ମିଛ ଗୁଜବ କଥା ବଡ଼ ବିପଦ ଆଣେ,
ଟିକେ ସନ୍ଦେହ ଥିଲେ ମନରେ ଦୁଃଖ ଆଡ଼କୁ ଟାଣେ |
ଅତୀବ କ୍ଷୁଦ୍ର ମଞ୍ଜିରୁ ପୁଣି ବାହାରେ ବରଗଛ,
ଟିକିଏ ସତ୍ୟ ଥିଲେ କଥାରେ ଧରି ପକାଏ ମିଛ |
ଅଣୁଅସ୍ତ୍ରରେ ପ୍ରଚୁର ବଳ କରିପାରିବ ଧ୍ୱଂସ,
ପରମାଣୁରୁ ମିଳୁଛି ଶକ୍ତି ଅନ୍ଧାର କରେ ନାଶ |
ଅତି ସାମାନ୍ୟ କ୍ଷୁଦ୍ର ଜୀବାଣୁ ନେଇ ପାରୁଛି ପ୍ରାଣ,
ରୂପ ଆକାର ପ୍ରକାର ଦେଖି ମଣିବା ନାହିଁ ହୀନ |
