ମହାପ୍ରଭୁଙ୍କ କାଞ୍ଚି କାବେରୀ ବେଶ
ମହାପ୍ରଭୁଙ୍କ କାଞ୍ଚି କାବେରୀ ବେଶ
ନୀଳାଚଳେ ଜଗନ୍ନାଥ ଚତୁର୍ଦ୍ଧାମୂରତି l
ମାନ ଉଦ୍ଧାରଣ ପ୍ରଭୁ ଉତ୍କଳ ବିଭୁତି l
ଉତ୍କଳ ଅସ୍ମିତା ପ୍ରଭୁ ଉତ୍କଳର ନେତା l
ଉତ୍କଳ ମାନରକ୍ଷଣ ସେ ଦାରୁଦେବତା l
କାଞ୍ଚି ଯୁଦ୍ଧ କାଳେ ପ୍ରଭୁ ଉତ୍କଳ ନାୟକ l
ସଇନ ସାଜିଲେ ଧରି କୃପାଣ ସାୟକ l
ପଥ କ୍ଲାନ୍ତ ହୋଇ ପିଇ ମାଣିକର ଦହି l
କଳାଧଳା ଅଶ୍ୱ କାଞ୍ଚି ଦେଲେ ଝପଟାଇ l
କେତେକାଳ ତପ କରି ଗଉଡ଼ୁଣୀ ଧନ୍ୟା l
ସେଠାରେ ବସିଲା ସ୍ମୃତି ମାଣିକ ପାଟଣା l
କାଞ୍ଚି ଅହଙ୍କାର ପ୍ରଭୁ ଭାଙ୍ଗି କଲେ ଚୁନା l
କାଞ୍ଚିରେ ଉଡ଼ିଲା ଉତ୍କଳର ଜୟ ବାନା l
ସ
ୁନ୍ଦରୀ ସେ ରୁପାମ୍ବିକା କାଞ୍ଚି ଜେମାମଣି l
ଉତ୍କଳ ଆସିଲେ ହୋଇ ଗଜପତି ରାଣୀ l
ସାଥିରେ ଆସିଲେ ପୁଣି ଶ୍ରୀକାଞ୍ଚିଗଣେଶ l
ମାଆ ତାରିଣୀଙ୍କ ସଙ୍ଗେ ପ୍ରଭୁ ରାଧାଇଶ l
ଇତିହାସେ ଏହି ସ୍ମୃତି ଜାଗରିତ କରି l
ବେଶ ଧରିଥାନ୍ତି ପ୍ରଭୁ ସୁଦର୍ଶନ ଧାରୀ l
କାଞ୍ଚିକାବେରୀ ବେଶରେ ଶ୍ରୀପଞ୍ଚମୀଦିନ l
ଦରଶନେ ମାନବର ଜନ୍ମ ହୁଏ ଧନ୍ୟ l
ଜୟ ଜୟ ଜଗନ୍ନାଥ ଜଗତ ଜୀବନ l
ତୁମ୍ଭ ପାଦପଦ୍ମେ ପ୍ରଭୁ ସଦା ମୋ ଶରଣ l