ମଧୁ ଉଦବୋଧନ
ମଧୁ ଉଦବୋଧନ
ଉତ୍କଳୀଙ୍କୁ ଡାକ ଦେଲା ଜାତିପ୍ରାଣ ମଧୁ
ଉତ୍କଳ ସନ୍ତାନେ ଉଠିବନି କିରେ ନିଦୁ l
ଜୟ କରିଥିଲେ ଦିନେ ତୋର ପୂର୍ବସୂରି
ଅଖଣ୍ଡ ଉତ୍କଳ ଗଙ୍ଗାଠାରୁ ଗୋଦାବରୀ l
ଉତ୍କଳର ନେତା ସ୍ୱୟଂ ପ୍ରଭୁ ଜଗନ୍ନାଥ
ଉତ୍କଳ ସମ୍ମାନେ ସାଜିଥିଲେ ଖଣ୍ଡାଇତ l
ତାଙ୍କ ଶ୍ରୀଚରଣେ ଯାଇ କର ପ୍ରଣିପାତ
ପ୍ରଭୁ ଉତ୍କଳ କିମ୍ପାଇଁ ଖଣ୍ଡ ବିଖଣ୍ଡିତ l
ଜାତିମେଧ ଯାଗେ ଦିଅ ସ୍ୱାର୍ଥକୁ ଆହୁତି
ନନ୍ଦିଘୋଷ ନ ଚଳିବ ସ୍ଵାର୍ଥେ ରଖି ମତି l
ତୋଷାମୋଦେ ବଢ଼ିବନି ତୁମ୍ଭ ଜାତି ମାନ
ତୋଷାମୋଦିଆ ଅଇଁଠା ପତରରେ ଧ୍ୟାନ l
ଭାଷା ଆନ୍ଦୋଳନ ଜାତି ଗଠନର ପାଇଁ
ସ୍ୱାର୍ଥଛାଡ଼ି ଛାତିସଙ୍ଗେ ଛାତି ମିଳା ଭାଈ l
ବିଦେଶୀ ବର୍ଜନକରି ଦେଶୀ କର ଘେନା
ସ୍ୱାବଲମ୍ବୀ ପାଇଁ ନିଜେ ବସା କାରଖାନା l
ଉତ୍କଳେ ଜାଗିଲା ଡାକେ ନବ ଜାଗରଣ
ଉନ୍ମାଦେ ଉତ୍କଳ ବାସୀ ପୁଲକିତ ପ୍ରାଣ l
ଗୋପବନ୍ଧୁ,ରାଧାନାଥ,ଫକୀର ମୋହନ
ଗଙ୍ଗାଧର ଚଳାଇଲେ ଭାଷା ଆନ୍ଦୋଳନ l
ଉତ୍କଳ ସମ୍ମିଳନୀ ସେ ଜାତି ପ୍ରାଣ ସିନ୍ଧୁ
ସେଥିରେ ମିଶିଲାଆସି ଛାତି ରକ୍ତ ବିନ୍ଦୁ l
ଏହି ଥିଲେ କୁଳ ବୃଦ୍ଧ ବାରିଷ୍ଟର ମଧୁ
ତାଙ୍କବିନେ ନ ସରୁଛି ଦିନ କାନ୍ଦୁ କାନ୍ଦୁ l
ଶତାବ୍ଦୀର ସୂର୍ଯ୍ୟ ଜାତି ପ୍ରାଣର ସ୍ପନ୍ଦନ
କୋଟିଏ ବନ୍ଦନ ଆହେ ଶ୍ରୀ ମଧୁସୂଦନ l
