ଏଇଟି ଆମର ଫୁଲବଗିଚା
ଏଇଟି ଆମର ଫୁଲବଗିଚା
ଶିଶୁ କବିତା
ଏଇଟି ଆମର ଫୁଲବଗିଚା
=============
ଏଇଟି ଆମର ଫୁଲ ବଗିଚା l
ତଳେ ପଡ଼ିଅଛି ଘାସ ଗାଲିଚା ll
ଗାଲିଚା ଉପରେ ଟିକିଏ ବସ l
ନରମ ନରମ କଅଁଳ ଘାସ ll
ଫୁଲ ଗଛ ସବୁ ଧାଡ଼ିକି ଧାଡ଼ି l
ଫୁଲ ଫୁଟିଛନ୍ତି ଧରିଛି କଢ଼ି ll
ଯୁଈ ଯାଇ ମଲ୍ଲି କୁସୁମ କଳି l
ଫୁଲ ଚୁମି ଚୁମି ବୁଲନ୍ତି ଅଳି ll
କୃଷ୍ଣଚୂଡ଼ା, ରାଧାଚୂଡ଼ା, ଟଗର l
ଫୁଟିଅଛି ଫୁଲ ଘଣ୍ଟ ମନ୍ଦାର ll
ଘଣ୍ଟଟି କିପରି ସୁନ୍ଦର ଦୋଳେ l
ଘଣ୍ଟିବାଜୁଛି କି ଶମ୍ଭୁ ଦେଉଳେ ll
ରଜନୀଗନ୍ଧାଟି ରଜନୀ ରାଣୀ l
ତରାଟ ସୁଗନ୍ଧରାଜ ରଙ୍ଗଣି ll
ନିଆଳି ମାଧବୀ ସୂରୁଜମୁଖୀ l
ସୂରୁଜଙ୍କୁ ଚାହିଁ ହୁଅନ୍ତି ସୁଖୀ ll
ଗୋଲାପ ଚମ୍ପକ ବରଜମଲି l
ହେନା, ମୁଚୁକୁନ୍ଦ ଗଙ୍ଗଶିଉଳି ll
ଅତି ମନୋହର ବରଷାକାଳ l
ତମାଳ ଫୁଟିଛି ମାଳକୁ ମାଳ ll
ପୁନାଗ ଫୁଟିଲା ପ୍ରଫୁଲ୍ଲ ଅତି l
ଉଡ଼ି ଉଡ଼ି ବୁଲେ ପରଜାପତି ll
ଚିତ୍ରିତ ପର ତା ଅତି ସୁଚାରୁ l
ମକରନ୍ଦ ଶୋଷି ନିଏ ଫୁଲରୁ ll
ଲାଗିଛି ପଣସ ଆମ୍ବ ନଡ଼ିଆ l
ଜାମୁ ଲେମ୍ବୁ ଲିଚୁ ଭାରି ବଢ଼ିଆ ll
ଏଗଛ ସେଗଛ ପକ୍ଷୀଏ ବୁଲି l
କି ସୁନ୍ଦର କରୁଛନ୍ତି କାକଳୀ ll
ପାଣିଦେଇ ଗଛ ବଢ଼ାଏ ନିତି l
ଜାତି ଜାତି ଫୁଲ ନିତି ଫୁଟନ୍ତି ll
ଫୁଲକୁ କରେ ମୁଁ ଭାରିଆଦର l
ଫୁଲ ବଗିଚାଟି ଜୀବନ ମୋର ll
ଶୁଣ ଶୁଣ ଭାଇ କହୁଛି ଫୁଲ l
ମୁହିଁ ତାକୁ ପାଏ ବହୁତ ଭଲ ll
ଦୂରୁଦେଖି ଭାଇ ନବଢ଼ା ହାତ l
ପ୍ରଫୁଲ୍ଲିତ ହୁଅ ଗାଅ ସଂଗୀତ ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
