ମୋ ଗାଆଁ ଆମ ସଂସ୍କୃତି
ମୋ ଗାଆଁ ଆମ ସଂସ୍କୃତି
ପାହାଡ଼ ମଥାରେ ସୂରୁଜ ଉଇଁଲେ
ମୋ ଗାଆଁ ସୁନେଲି ଦିଶେ,
ଗାଆଁ ମନ୍ଦିରର ଚୂଡାରେ ପହିଲି
ରଙ୍ଗ ମୁରୁଜ କି ବିଞ୍ଚେ |
ଗାଆଁ ଠାକୁରାଣୀ ମନ୍ଦିରେ ଶୁଭଇ
ସକାଳ ଆଳତୀ ଘଣ୍ଟି,
ପିଲାଙ୍କ ଖେଳରେ ଗାଆଁ ଦାଣ୍ଡଧୂଳି
ଉଡେ ଉପରକୁ ଉଠି |
ପୋଖରୀ ତୁଠରେ ଗାଆଁ ମାଇପିଙ୍କ
ସଂସାର ଯାକର କଥା,
ତେଲ ହଳଦୀକୁ ମାଖୁ ମାଖୁ ଦେହେ
ଖିଅ ଲମ୍ବାଏ ଯେ ନଥା |
ଚାଷୀଭାଇ ହଳ ବିଲକୁ ନେଲାଣି
କଟର କଟର ଶୁଭେ,
ଗାଈଆଳ ଟୋକା ଡାକ ଶୁଭିଲାଣି
ଗୁହାଳୁ ଗାଈ ଫିଟିବେ |
ପର୍ବ ପର୍ବାଣୀରେ ଦାଣ୍ଡ ଅଗଣାକୁ
ଗୋବରରେ ଲିପି ପୋଛି,
ଗାଆଁ ସୀମନ୍ତିନୀ ମନ୍ଦିରକୁ ଯାଏ
ଏ ପରା ଆମ ସଂସ୍କୃତି |
ଧନୁ ସଂକ୍ରାନ୍ତିରେ ଧନୁ ମୁଆଁ ବଣ୍ଟା
ଅଘିରା ପୁନେଇଁ ଅଘି,
ଶିବରାତ୍ରି ସାରା ଜାଗର ଜାଳଇ
କୁଆଁରୀ ବର ଯେ ମାଗି |
ରଜ ଦୋଳି ଖେଳ ରଜ ଗୀତ ସାଥେ
ଶିହରେ କୁଆଁରୀ ମନ,
ବାଗୁଡ଼ି ଖେଳରେ ନିଶା ଲାଗିଥାଏ
ବାଜିମାତରେ ଯୁଆନ |
ଏ ଗାଁ ମାଟିରେ ଏନ୍ତୁଡିର ନିଆଁ
ଜଳିଥିଲା ଦିନେ ମୋର,
ଗାଆଁ ମଶାଣିରେ ଜଳିଯିବ ଦିନେ
ମାୟା ତେଜି ଏ ଶରୀର |
ଗାଆଁର ମମତା ମାଆର ସେନେହ
ପ୍ରୀତିଭରା ଏ ବନ୍ଧନ,
ଭୁଲିହୁଏ ନାହିଁ ଗୁରୁ ଗୁରୁଜନ
ସ୍ୱର୍ଗ ସତେ ଚିର ଦିନ |
ମାଟିର ବୈକୁଣ୍ଠ ସତେ କି ସେ ପୁର
ସର୍ବଦା ଅମୃତ ଝରା,
ଭୁଲି ହୋଇଯାଏ ସକଳ ଯାତନା
ସେ ମାଟି ପରଶେ ପରା |