STORYMIRROR

Jyotsnarani Panda

Inspirational

4  

Jyotsnarani Panda

Inspirational

ଓଠ ତଳର ହସ

ଓଠ ତଳର ହସ

1 min
287


ଓଠ ତଳ ହସ ଚେନାଏ ସାହସ 

   ଚାଲିବାକୁ କିଛି ଦୂର 

ଜଞ୍ଜାଳମୟ ଏ ମଣିଷ ଜୀବନ 

  ତେଲଲୁଣର ସଂସାର ।।


ସେହି ଧାରେ ହସ ବିଷ କି ପୀୟୂଷ 

  ଶୋଷ ଅବା ଅବସୋସ 

ହେଉ ରୋଷ ଅବା ଛଳନାରେ ପୂର୍ଣ୍ଣ 

  ତଥାପି ଛୁଟାଏ ବାସ ।। 



କର୍ମର କଷଣ ଅସହ୍ୟ ଭୀଷଣ 

  ଟିକେ ମୃଦୁ ହସ ଲୋଡା 

ଶୀତଳ ଚନ୍ଦନ ପ୍ରଲେପ ଦେଇ ସେ 

   କ୍ଷଣିକରେ ହରେ ପୀଡ଼ା ।। 



ମୁଖ ମଳିନତା ନମ୍ର ନୀରବତା 

  ଜଣାଏ ଅନ୍ତରଵ୍ୟଥା 

ଯଦି ଵନ୍ଧୁଟିଏ ଦୂରୁ ଦେଖି ହସେ 

 କଅଁଳେ ଆନନ୍ଦ ଲତା ।। 



ହସ ମହୌଷଧି ଦୂର କରେ ବ୍ୟାଧି 

  ଯୋଗ ବ୍ୟାୟାମରେ ଗଣା 

ଯେତେ ଝରେଇଲେ ସରି ସେ ଯାଏନା 

  ସେ ଦରଵ ନୁହେଁ କିଣା ।।



ଆଜି କଷ୍ଟ ଯଦି କାଲିକୁ ନ ଥାଏ 

  କର କିମ୍ପା ଅଭିମାନ 

ଦୁଃଖ ଅବସାଦ ପ୍ରଭୁଙ୍କ ପ୍ରସାଦ 

   ଭାଵି କର ଆବାହନ ।। 



ଅପ୍ରତିମ କ୍ଲେଶ ଥିଲେ ଥାଉ ପଛେ 

  ଓଷ୍ଠଧାରୁ ଝରୁ ହସ 

ସନ୍ତାପ ଦୂରେଇ ଆଶ୍ଵାସନା ଦେବ 

  ଆରାମଦାୟକ ସ୍ପର୍ଶ ।।



ରତ୍ନ ସିଂହାସନେ କାଳିଆର ହସ 

  ଆହା କେଡ଼େ ମନଲୋଭା 

ବିଶାଳ ଏ ବିଶ୍ଵ ସେ ହସରେ ଵଶ 

  ଚିନ୍ତି କମନୀୟ ଶୋଭା ।। 



ଜଗା ହସ ଦେଖି ହସେ ଶ୍ରୀମନ୍ଦିର

 ବଡ଼ଦାଣ୍ଡ ମହୋଦଧି 

ଉଚ୍ଛୁଳା ତରଙ୍ଗ ଭାଵଭକ୍ତି ରଙ୍ଗ 

 (ପ୍ରଭୁ) ହର୍ଷ ମୁଖି କୃପାନିଧି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational