ବିଦାୟୀ ବାଇଶି
ବିଦାୟୀ ବାଇଶି
ବିଦାୟ ବାଇଦ ବାଜିଲାଣି ବନ୍ଧୁ
ମେଲାଣି ମାଗୁଛି ମୁହିଁ ,
ଛିଣ୍ଡାଇ ବର୍ଷର ମମତାର ଡୋର
ଚାଲିଯିବି ସ୍ମୃତି ନେଇ ।।
କେତେ ସ୍ନେହ ଶ୍ରଦ୍ଧା ଆତ୍ମୀୟତା ଵନ୍ଧା
ତୁମ ସହ ଥିବାବେଳେ ,
ସେ ପ୍ରୀତି ପୃଷ୍ଠାରେ ପୂର୍ଣ୍ଣଚ୍ଛେଦ ଟାଣି
ନେତ୍ର ମୋ ଲୋତକ ଢାଳେ ।।
ବିଧିର ବିଧାନ କେ କରିଵ ଆନ
ଏହି ତ ସଂସାର ରୀତି ,
ପ୍ରତି ପ୍ରାରମ୍ଭର ଆହତ ଅନ୍ତିମ
ନିଷ୍ଠୁର ନିୟତି ନୀତି ।।
ପ୍ରିୟଜନ ମୁଖ ନ ଦେଖିଲେ ଦୁଃଖ
ବେଦନା ବଢିବ ହୃଦେ ,
ସାଉଁଟିବି ସାଥି ବିଗତର ସ୍ମୃତି
ସ୍ମରି ସ୍ମରି ଅବସାଦେ ।।
ସମ୍ପର୍କ ସରେନା ମରି ଵି ପାରେନା
ଚିରଦିନ ସେ ଜୀବନ୍ତ ,
ଅମ୍ଳାନ , ଅକ୍ଷୁର୍ଣ୍ଣ ସୁଗନ୍ଧରେ ପୂର୍ଣ୍ଣ
ପ୍ରାରଵ୍ଧ ପୁଣ୍ୟରୁ ପ୍ରାପ୍ତ ।।
>
ମମତା ବନ୍ଧନ ଅତି ହିଁ କଠିନ
ତା' କବଳୁ ମୁକ୍ତି ନାହିଁ ,
ନିଵିଡତାର ସେ ଏରୁଣ୍ଡି ବନ୍ଧକୁ
ଡେଇଁପାରେ ନାହିଁ କେହି ।।
ସମୟ ସ୍ରୋତରେ ହଜିଯିଵି ସାଥୀ
କାଲିଠୁ ଖୋଜିବ ନାହିଁ ,
ମନ ହୃଦୟରୁ ଫୋପାଡି ଦେଵନି
ଅଲୋଡ଼ାର ଦ୍ୱାହି ଦେଇ ।।
ଜାଣିନି ତୁମକୁ କେତେ ଦୁଃଖ ଦେଲି
ଅବା କେତେ ସୁଖ ଦେଲି ,
ପ୍ରୟାସ ତ ମୋ'ର ଥିଲା ନିରନ୍ତର
କଷ୍ଟ ମୁଁ ନ ଦେବି ଵୋଲି ।।
କେଵେ ଅବସର ପାଅ ଯଦି ବନ୍ଧୁ
ଅଳ୍ପ ଅଳ୍ପ ଭାଵୁଥିଵ ,
ଦୋଷ ତ୍ରୁଟି ଥିଲେ ବଡ ହୃଦୟରେ
କ୍ଷମା ଟିକେ କରିଦେବ ।।
ପ୍ରଭୁ ଜଗନ୍ନାଥ ଆଶିଷ ଢାଳନ୍ତୁ
ସର୍ଵେ ରୁହ କୁଶଳରେ ,
ସେ ତ ଶ୍ରେଷ୍ଠ ବନ୍ଧୁ କରୁଣାର ସିନ୍ଧୁ
ଉଭା ପ୍ରତି ବିପଦରେ ।।