STORYMIRROR

Baby Nayak

Fantasy

4  

Baby Nayak

Fantasy

ଭାଦ୍ରବୀ

ଭାଦ୍ରବୀ

1 min
235

ଆକାଶ ଆଖିରେ ଆଙ୍କି ଅବୁଝା ସଂଶୟ 

ଭାଦ୍ରବର ଭଦ୍ରଲୋକି ଭସା ମେଘ ଦେହ

କାଶତଣ୍ଡୀ କଷିଲାଣି ବୟସ ଗଣିତ

ମୃଦୁ ମୃଦୁ ହାସ୍ୟେ କରେ ସଭିଙ୍କୁ ସ୍ବାଗତ ।


ପ୍ରତ୍ୟାବର୍ତ୍ତୀ ପ୍ରାବୃଟକୁ ଘେନି ନିଜସାଥେ 

ସଜଳ ହୁଏ ଶ୍ରାବଣୀ କେବେ ଅକସ୍ମାତେ

ରଜନୀ ଗନ୍ଧା ସ୍ତବକ ସାଜେ ଋତୁମତୀ 

ପ୍ରଣୟପିୟାସୀ ପ୍ରାଣ ପ୍ରତିକ୍ଷିତ ରାତି ।


ଆସ୍ରବିତ କାସାରର ସ୍ବଚ୍ଛ ଧାର ଦେଖି

ନିରୁଦ୍ଦିଷ୍ଟା ଶତପତ୍ର ଧୀରେ ଖୋଲେ ଆଖି

ଚନ୍ଦ୍ରମା ଚଞ୍ଚଳ ଚିତ୍ତେ ଚମକ ଖେଳାଇ 

ସରସୀ ଦର୍ପଣେ ମୁଖ ଦେଖେ ନୀଳକଇଁ ।


ଜହ୍ନି ଫୁଲ ଜିଜ୍ଞାସୁଛି ଜୀଇଁ ବାର କ୍ଷଣ

ସମ୍ଭାବିତ ଫଳପ୍ରସୂ ଆଗାମୀ ଜୀବନ

ବନଜାରି ଭୟେ ପ୍ରାଣ ହେଲାଣି ଅଧୀର

କିଏ ଜାଣେ ବାକି ଆଉ ଅଛି କେତେ ବେଳ


କ୍ରମେ କୃଶ ହେଉଥିବା ଅମ୍ବୁଦ ଶରୀର 

ଶିଶିର ବିନ୍ଦୁରେ ହେଉଅଛି ରୂପାନ୍ତର

ଉଷାର ଆଶାରେ ଝଳେ ମୌକ୍ତିକ ସହର୍ଷେ 

ଶେଫାଳିର ସ୍ବପ୍ନ ଭଙ୍ଗ ସକାଳର ସ୍ପର୍ଶେ ।


ସଂଗୀତର ସାତ ସୁରେ ସର୍ବେ ଶିହରିତ 

ବିହାୟସେ ବିହଙ୍ଗମେ ମୁକ୍ତି ବିଭୋରିତ 

ସବୁଜିମା ସ୍ବର୍ଣ୍ଣଗର୍ଭେ ସ୍ବପ୍ନ ର ସମ୍ଭାର 

ଭବ୍ୟ ଭବିତବ୍ୟ ଭାବେ ଭୂଗୋଳ ଭୋକର ।


କନ୍ଦୁକ ସମାନ କ୍ରୀଡେ ଆଉ କାହା କରେ 

ପାର୍ଥିବ ପଶ୍ଚାତେ ପ୍ରାଣୀ ଧାଉଁଛି ଭ୍ରମରେ 

ପ୍ରକୃତିର ପ୍ରୟାସରେ କାହିଁ ପୂର୍ଣ୍ଣଚ୍ଛେଦ 

ନିରଳସ ନିର୍ବିକାର ନାହିଁ ଅବସାଦ ।


ପାର୍ବଣ ପ୍ରବେଶେ କାହିଁ ମଧୁର ଆନନ୍ଦ 

ଶମାର୍ଥୀ ସନ୍ଧାନ କରେ ଶାନ୍ତିର ଆସ୍ପଦ

ଶାରଦୀୟ ସମାରୋହ ବର୍ଣ୍ଣୋତ୍ସବ ମୟ

ବିରଚୁଛି ଅଭିନବ ଜଗାଇ ବିସ୍ମୟ ।


ଅଦୃଶ୍ୟ ସେ ଶକ୍ତି ହସ୍ତେ ସର୍ବେ କ୍ରୀଡନକ 

ଧନ୍ୟ ସେ ସର୍ଜନାକାରୀ ଶ୍ରେଷ୍ଠ ନିୟାମକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy