STORYMIRROR

Baby Nayak

Others

3  

Baby Nayak

Others

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
753


ମେଘାସନ ଶୋଭାପାଏ

ମଥାର ମୁକୁଟ

ଦିଗନ୍ତ ବିସ୍ତାରୀ ଯା'ର

ମହୋଦଧି ତଟ

ନୀଳାମ୍ବୁ ଚିଲିକା ଗଳେ

ହୀରକର ହାର

ପୟର ପଖାଳେ ନିତି

ବଙ୍ଗୋପସାଗର

ଗଙ୍ଗାଠାରୁ ଗୋଦାବରୀ

ଥିଲା ପରିବ୍ୟାପ୍ତ

ଇତିହାସେ ସ୍ବର୍ଣ୍ଣାକ୍ଷରେ

ହୋଇଛି ଲିଖିତ

ଯହିଁ ଦିନେ ଚଣ୍ଡାଶୋକ

ହେଲେ ଧର୍ମାଶୋକ

ଗାଉଛି ଧଉଳି ଗିରି

ଶାନ୍ତିର ପ୍ରତୀକ

ଅତୀତ ଗୌରବ ସାକ୍ଷୀ

ଦୃପ୍ତ ବାରବାଟୀ

ପବିତ୍ର ଅଟଇ ଯା'ର

ଶିରୀକ୍ଷେତ୍ର ମାଟି

ଜାତୀୟ ଦେବତା ମୋର

ପ୍ରଭୁ ଜଗନ୍ନାଥ

ପତିତପାବନ ଅର୍ଥେ

ଉଡେ ଯା'ର ନେତ

ବରଷକେ ଥରେ ପୁଣି

ହୁଏ ଘୋଷଯାତ

ଅବଲୋକି ବିଶ୍ବବାସୀ

ହୁଅନ୍ତି ଚକିତ

ସେ କେଉଁ ଦେବତା ଅଛି

ମହୀ ତଳେ କାହିଁ

ଭକତ ନିମନ୍ତେ ଆସେ

ଦାଣ୍ଡକୁ ଓହ୍ଲାଇ

କେତେ ନଦନଦୀ ଗିରି

ପାହାଡ ପର୍ବତ

ଶତ ଶତ ମନ୍ଦିରରେ

ମାଆ ମୋ ଶୋଭିତ

କୋଣାର୍କ ଗାତ୍ରେ ଅଦ୍ଭୁତ

ଭାସ୍କର୍ଯ୍ୟ ଅଙ୍କିତ

ବାରମାସେ ତେରପର୍ବ

ହୁଅଇ ପାଳିତ

ଓଡିଶୀ ନୃତ୍ୟ ଯାହାର

କିଣିନିଏ ମନ

ପାଇଛି ମୋ ଭାଷା ପୁଣି

ଶାସ୍ତ୍ରୀୟ ସମ୍ମାନ

ପାରାଦ୍ବୀପ ଠାରେ ଗଢା

ହୋଇଛି ବନ୍ଦର

ଦିନରାତି ଚାଲିଅଛି

ବଣିଜ ବେପାର

ପ୍ରାକୃତିକ ବିଭବରେ

ସମୃଦ୍ଧ ମୋ ମାଆ

ବିକାଶ ପଥେ ଦେଖାଏ

ନିତି ନୂଆ ରାହା

ଉନ୍ନତ ମୋ ପରମ୍ପରା

ଅନନ୍ୟ ସଂସ୍କୃତି

ଅତୁଲ୍ୟ ଅଟଇ ଯା'ର

ଅନୁପମ କୀର୍ତ୍ତି*

କେତେ ବୀର ବରପୁତ୍ର

ମଣ୍ଡିଲେ ଯା' କୋଳ

ଆପଣାର ଗୁଣବଳେ

ହୋଇଲେ ଅମର

ପ୍ରାକୃତିକ ବିପର୍ଯ୍ୟୟ

ଶତଶତ ଝଡ

ସହି ଘାତ ପ୍ରତିଘାତ

ହୋଇଛି ସୁଦୃଢ

ଅକ୍ଷୟ କୀରତି ଯା'ର

ଜଗତେ ବିଦିତ

ସ୍ବର୍ଣ୍ଣପ୍ରସୂ ମାଆ ମୋର

ମହିମା ମଣ୍ଡିତ

ଜାଣିନାହିଁ କେତେ ଜନ୍ମ

କରିଥିଲି ପୁଣ୍ୟ

ସେ ପବିତ୍ର ମାଟିରେ ମୁଁ

ଲଭିଅଛି ଜନ୍ମ

ଓଡିଶା ,ଉଡ୍ର, କଳିଙ୍ଗ ,

ଉତ୍କଳ ଯା" ନାଆଁ

ସେହି ମୋର ଜନ୍ମଭୂମି

ସେହି ମୋର ମାଆ

ତା' ସେବାରେ ଯଦିଥରେ

ଲାଗେ ମୋର ପ୍ରାଣ

ସାର୍ଥକ ହେବ ଜୀବନ

ହୋଇବି ମୁଁ ଧନ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍