ପ୍ରଣାମ ହେ ଗୁରୁ
ପ୍ରଣାମ ହେ ଗୁରୁ
ଶିଳାରୁ ସାଜିଲି ମୂର୍ତ୍ତି
ମାଟିରୁ କଳସ
ଅନ୍ତରେ ଭରିଲ ମୋର
ଜ୍ଞାନର ପୀୟୁଷ ।
ଅନ୍ଧକାର ପଥଧାରେ
ଢାଳି ଦିବ୍ୟାଲୋକ
ଲଭିଲି ଜୀବନେ ଯେଉଁ
ଅପୂର୍ବ ପୁଲକ ।
ହାତ ଧରି ଦେଖାଇଲ
ଚାଲିବାର ରାହା
ସବୁ ଦୁଃଖ ଆପଦରେ
ତୁମେ ପରା ସାହା ।
ଯାହା ସୁଦୟାରୁ ଦିନେ
କଲି ଭୂମି ସ୍ପର୍ଶ
ପାଳିଲା ଯତନେ ଦେଇ
ଅମୃତ ପରଶ ।
ଯେଉଁ ଚାରୁ ଚିତ୍ରପଟ
ଦେଖି ଚଉଦିଗେ
ଚଞ୍ଚଳ ହୁଅଇ ପ୍ରାଣ
ଅଧୀର ଆବେଗେ ।
ପଠାଇଛନ୍ତି ଧରାକୁ
ଯେଉଁ ଦିବ୍ୟସ୍ରଷ୍ଟା
ଯା' ଲାଗି ଲେଖା ହୋଇଛି
ଜୀବନର ପୃଷ୍ଠା ।
ମଥାପରେ ଅଛି
ଗୁରୁଜନଙ୍କ ଆଶିଷ
ଲଘୁଜନେ ସ୍ନେହ ବଳେ
କରିଛନ୍ତି ବଶ ।
ସେହି ଗୁରୁ, ପିତା , ମାତା,
ପ୍ରକୃତି, ଈଶ୍ବର
ତାଙ୍କ ପବିତ୍ର ପୟରେ
କୋଟି ନମସ୍କାର ।