ଶେଷାଭିସାର
ଶେଷାଭିସାର
ଆଗୋ ପ୍ରିୟତମ ନ କରି ସରମ
କହିଦିଅ ଖୋଲି ମରମ କଥା
ଜାଗେ ଏ ଭରମ ଆଉ କେତେକ୍ଷଣ
ଅକାରଣେ କିଆଁ ଏ ନୀରବତା ।
ନଇଁଲାଣି ସଞ୍ଜ କାଲିର ସୂରୁଜ
ଦେଖିବାକୁ ଜୀବ ଥିବ କି' ନାହିଁ
ତୁଚ୍ଛା ଅଭିମାନ କର ଗୋ ମୋଚନ
ଅମୂଲ୍ୟ ସମୟ ଯାଉଛି ବହି ।
ଅଧୀର ଅଧର ମଦିରା ମଧୁର
ପିଇବାରେ ଆଜି ଦେବିନି ବାଧା
ବ୍ରୀଡାନତ ଏଇ ପଲକ ପୁଲକେ
ଲେଖିବ କାହାଣୀ ଅଛି ଯା' ଅଧା ।
ଦେଖ ଚନ୍ଦ୍ରମା ତନ୍ଦ୍ରାବିଭୋରେ
ଲୁଚିଅଛି କାହିଁ ବାଦଲ କୋଳେ
ଘନ ଏ ରଜନୀ ଗାଏ ଆବାହନୀ
ବାନ୍ଧି ନେବି ଗୋ ବାହୁମୃଣାଳେ ।
ପ୍ରୀତି ପୀୟୁଷର ମନ୍ଦାକିନୀ ଧାର
ଅବାରିତେ ଆଜି ଯାଉ ଗୋ ଝରି
ମିଳନ ବଂଶୀର ମଧୁମୂର୍ଚ୍ଛନାରେ
ଝଙ୍କୃତ ହେଉ ଏଇ ଶର୍ବରୀ ।
ନିରବ ସଂଗୀତ ଗାଏ ଅବିରତ
ମେଘମେଦୁରିତ ତାମସୀ ରାତ୍ରି
ରଚିଯିବା ଏକ ନୂଆ ଇତିହାସ
ଶିହରିତ ପ୍ରାଣ ନ ହେଉ ଇତି ।
ମରଣ ଦୁଆରେ ଅରପିବା ଆଗୁ
ଶ୍ରାନ୍ତ କ୍ଳାନ୍ତ ଏ ଚରଣ ଦୁଇ
ଆସ ପ୍ରିୟ ସାଥୀ ଗାଇ ମଧୁଗୀତି
ଆଉ କିଛି କ୍ଷଣ ଯିବା ଗୋ ଜୀଇଁ ।