ମୃତ୍ୟୁ ମୋ ପ୍ରେମିକ
ମୃତ୍ୟୁ ମୋ ପ୍ରେମିକ


ହେ ମୃତ୍ୟୁ !
ଆସନ୍ତନି ଥରୁଟିଏ ତୁମେ
ବିଶାଳ ତୁମ ବାହୁ ପ୍ରସାରି
ଆବଦ୍ଧ କରି ନିଅନ୍ତନି
ତୁମ ଶକ୍ତ ବାହୁ ବନ୍ଧନରେ ।
ହେ ମୃତ୍ୟୁ!
ତୁମେ ଆସନ୍ତନି
ମୋ କମ୍ପିତ ଅଧରକୁ
ତୁମ ଉଷ୍ଣ ଓଠରେ
ଚାପି ଧରି ସ୍ତବ୍ଧ କରିବାକୁ
ହେ ମୃତ୍ୟୁ !
ତୁମେ ଆସନ୍ତନି
ମୋ ସମସ୍ତ ରକ୍ତକଣାକୁ
ତୁମ ଶୀତଳ ସ୍ପର୍ଶରେ
ପାଣି କରିଦେବାକୁ
ହେ ମୃତ୍ୟୁ!
ତୁମେ ଆସନ୍ତନି
ଚାରି ଚକ୍ଷୁର ମିଳନ କରି
ନେତ୍ର ଯୁଗଳକୁ ମୋ
ମୁଦ୍ରିତ କରିବାକୁ ।
ହେ ମୃତ୍ୟୁ !
ତୁମେ ଆସନ୍ତନି
ଛଅଖଣ୍ତ କାଠ ସବାରିରେ
ରାମ ନାମ ସତ୍ୟ ଧ୍ୱନିରେ
ଧ୍ୱନିତ ପରିବେଶରେ
ଖଇ ଆଉ କଉଡିର ପଥରେ
ଧଳାରଙ୍ଗ ଓଢଣୀରେ ଢାଙ୍କି
ଏ ସ୍ୱାର୍ଥପର ଦୁନିଆଁରୁ
ମତେ ନେଇ ଯିବାକୁ ।
ହେ ମୃତ୍ୟୁ !
ଥରୁଟିଏ ତୁମେ ଆସନ୍ତନି
ମୋ ଜୀବନ ସନ୍ଧ୍ୟାର
ଗୋଧୂଳି ଲଗ୍ନରେ
ଅସ୍ତକରିବାକୁ
ମୋ ପ୍ରାଣ ସୂରୁଜକୁ ।
ମଶାଣି ଭୂଇଁରେ
ନିଆଁ ବିଛଣାରେ
ଖୋଲା ଆକାଶର ତଳେ
ରଚନ୍ତେନି ଆମେ
ଚଉଠି ପରବ
ତାରାମାନଙ୍କ ମିଞ୍ଜି ମିଞ୍ଜି
ଆଲୁଅରେ
ମାଟି ଓ ପାଉଁଶଗଦା ଭିତରେ
ଲୀନ ହୋଇଯାନ୍ତି ମୁଁ
ତୁମରି ଦେହରେ
ହୁଅନ୍ତା ସଂଗମ ଆମର
ଅଣୁ ପରମାଣୁ ଆଉ
ଆତ୍ମା ପରମାତ୍ମାର ॥