STORYMIRROR

Pratima Panda

Others

3  

Pratima Panda

Others

ତୁମେ

ତୁମେ

1 min
278

ତୁମେ! ଅବାସ୍ତବ ବେଳାର

ଏକ ମନ୍ତ୍ରମୁଗ୍ଧ ଛବି

କେବେ ପାହି ନଥିବା

ମୋ ଜୀବନ ଅନ୍ଧାରୀ ଇଲାକାର

ପାହାନ୍ତି ରବି

ତୁମକୁ କଣ ଛୁଇଁ ହୁଏ ??

ତୁମକୁ କଣ ଦେଖିହୁଏ??

କାନଭାସରେ ରଙ୍ଗଦେଇ

ଯାହା ଆଙ୍କିହୁଏ ତୁମ ଜଳଛବି ।

ତୁମେ! ନିର୍ଜନ ନିଶୀଥର

ନିଶିଦ୍ଧ ନିସଂକୋଚ ସ୍ୱପ୍ନ

ପ୍ଳାବିତ ହୋଇ ନଥିବା

ମୋ ଧରାର

ଶାନ୍ତ ସ୍ନିଗ୍ଧ ଜହ୍ନ

ତୁମକୁ କଣ ହାତମୁଠାରେ ପାଇହୁଏ ??

ତୁମ ଦେହରେ କଣ ନାଁ ଲେଖିହୁଏ??

ଖାଲି ଯାହା ମୁଠା ମୁଠା ଜ୍ୟୋତ୍ସ୍ନାକୁ

ଲେପି ଦେଇହୁଏ ମନସାରା

ଆଖି ବନ୍ଦ କରି ।

ତୁମେ! ଓଠ ପାହାନ୍ତାର

ସମୁଦ୍ରେ ଶୋଷ

କେବେ ସଂପୂର୍ଣ୍ଣ ଗ୍ରାସି ପାରୁ ନଥିବା

ଏକ ଗ୍ରହଣର ଦୋଷ

ତୁମକୁ କଣ କେବେ

ମନଭରି ପି ଦେଇହୁଏ??

ତୁମକୁ କଣ କେବେ

ଦୋଷ ଦେଇ ହୁଏ??

ତୁମ ସବୁ ଲବଣତା ରୁକ୍ଷତାକୁ

ଆଖି ଲୁହେ ଦ୍ରବୀଭୂତ କରି

ଢକ୍ ଢକ୍ ଗର୍ଭସ୍ଥ କରିହୁଏ ।

ତୁମେ!ଏକ ତରୁଣ ତାନ୍ତ୍ରିକର

ଅନୁଚ୍ଚାରିତ ସମ୍ମୋହନ

ସର୍ବକାଳେ ମୋ ପାଇଁ

ବିକର୍ଷିତ ଏକ ଅଦ୍ଭୁତ ଆକର୍ଷଣ

ତୁମକୁ କଣ ପାଖରେ

ପାଇହୁଏ କେବେ??

ତୁମଠୁ ଦୁରେଇ ଯାଇହୁଏ ନା

ନିଜଠୁ ଦୁରେଇ ଦେଇହୁଏ କେବେ??

ଚାରିପଟେ ତୁମ ଘୂରିଘୂରି

ଚକାଭଉଁରି ଖେଳି

କେବଳ କରିହୁଏ ପ୍ରଦକ୍ଷିଣ ।

ତୁମେ!କେବେ ଲିଭୁ ନ ଥିବା ପାଦର

ନାଲି ରକ୍ତଜବା ଅଳତା

ସମସ୍ତ ପ୍ରହରକୁ ମୋ

ପ୍ରଜ୍ୱଳିତ କରୁଥିବା

ସଂଧ୍ୟାର ଏକ ବିଦଗ୍ଧ ସଳିତା

ତୁମ ପାଇଁ କଣ ଜଳିହୁଏ ??

ନା ତୁମକୁ ଜାଳି ଦେଇହୁଏ??

ଲେଖି ହୁଏ ଯାହା

ତୁମ ନାମେ ଅନେକ

ଅପ୍ରକାଶିତ କବିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍