ମୋ ଶବ୍ଦ
ମୋ ଶବ୍ଦ
ସାରା ରାତି ଏ ଶବ୍ଦଗୁଡାକ
ଭାରି କଷ୍ଟ ଦିଅନ୍ତି,
ରାତିସାରା କଡ ଲେଉଟାନ୍ତି
ଏକାନ୍ତ ରୁ ଅନନ୍ତ ଯାଏଁ,
'ଅ'କାର ରୁ ଓଁକାର ଯାଏଁ,
ଘୂରି ବୁଲନ୍ତି ବର୍ଣ୍ଣମାଳା ରୁ ବର୍ଣ୍ଣାଳୀ ଯାଏଁ ।
କେତେବେଳେ ଦୂର ତାଳବଣର
ବଣିଟିଏ ପରି,
ତ କେତେବେଳେ ମୋ ବଗିଚାର
ଚୁଲ୍ ବୁଲ୍ ପ୍ରଜାପତି ହୋଇ
ହାତପାହାନ୍ତାରେ ଧରାଦେଇ ଉଡିଯାନ୍ତି ,
ସେତେବେଳ ଯାଏଁ ,ଯେତେବେଳ ଯାଏଁ
ସେମାନଙ୍କୁ ପୋଷା ମନେଇ
ଭାବରେ ଭାବରେ ଛନ୍ଦି ନ ଦେଇଛି,
ଯେତେବେଳ ଯାଏଁ
ମୋ ଡାଏରୀ ପୃଷ୍ଠାରେ
କଲମର ବେଡି ପକାଇ
କଏଦ୍ ନ କରିଛି ,
ସତରେ ଭାରି କଷ୍ଟ ଦିଅନ୍ତି ଏମାନେ
ଯେତେବେଳ ଯାଏଁ
କବିତାର ରୂପ ନ ଦେଇଛି ॥