ମୋ ପ୍ରେରଣା
ମୋ ପ୍ରେରଣା
ମତେ କି ଜଣା ଥିଲା
ଶବ୍ଦର ଖେଳ ଆଉ
ଭାବର ଯେତେ ସବୁ ଭାବାର୍ଥ ?
ଗଢି ତ ନ ଥିଲି
କେବେ ମୁଁ
କାଗଜ କଲମ ସହ
ଏମିତି ଏକ ନିଆରା ସଂପର୍କ
ତୁମେ ଯେବେ ଦେଲ
ଉପହାର କେବଳ
ଗୋଟିଏ ଶବ୍ଦ"ପ୍ରେମ"ର
ଶବ୍ଦାୟିତ ହେଲା
ମୋ ସମଗ୍ର ପୃଥିବୀ ,
ମୁକ୍ତି ପାଇଗଲେ
ମୋ ଅନ୍ତରେ ଥିବା
କାରାବାସ ଭୋଗୁଥିବା ଶବ୍ଦସବୁ
ଗୋଟି ଗୋଟି କରି
ଶବ୍ଦର ମୋତି ସାଉଁଟି
କଲମ ମୁନରେ ଗୁନ୍ଥି
ମୁଁ ଲେଖିଚାଲିଲି
ଗୋଟିଏ ପରେ ଗୋଟିଏ କବିତା ।
ସବୁ ଶବ୍ଦ,ସ୍ମୃତି
କାଗଜ,କଲମ,କବିତା
ଏବେ ମୋ ପାଖରେ
କେବଳ ଏ "ତୁମେ"ଶବ୍ଦର
ଅଭାବ ମତେ ସବୁବେଳେ ଘାରେ ।
ତଥାପି ମୁଁ ଲେଖୁଛି, ଲେଖୁଥିବି
ତୁମେ ପାଖେ ଥାଅ କି ନ ଥାଅ
ତୁମେ ଯାହା ଦେଲ
ପ୍ରେମ,ପ୍ରତାରଣା
ହସ, ଲୁହ
ମାନ, ଅଭିମାନ
ସବୁକୁ ସହୃଦୟେ ଧରି,
ଆଉ ତୁମେ ଥିଲ,ଅଛ,
ରହିଥିବ ସବୁଦିନେ
ମୋ ସବୁ ଲେଖା ପଛରେ
ଅଦୃଶ୍ୟ ଅନ୍ତରଙ୍ଗ
ପ୍ରେରଣା ହୋଇ ॥