STORYMIRROR

Pratima Panda

Abstract

4  

Pratima Panda

Abstract

ସ୍ୱାଧୀନତା ର ଅର୍ଥ

ସ୍ୱାଧୀନତା ର ଅର୍ଥ

1 min
1.1K

ସ୍ୱାଧୀନତାର ମାନେ ନୁହେଁ

ଅଗଷ୍ଟ ପନ୍ଦର,ଜାନୁଆରୀ ଛବିଶିରେ

ତରଙ୍ଗାୟିତ ନଭଶ୍ଚୁମ୍ଭୀ ତ୍ରିରଙ୍ଗା ତଳେ

ବାବନ ସେକେଣ୍ତରେ ଜାତୀୟ ସଂଗୀତ ଗାନ,

ଇସ୍ତ୍ରୀ ଦିଆ କୋଟ୍ ଆଉ ଟାଏଟିଏ ଭିଡି

ଦିନକ ପାଇଁ ସମୟାନୁବର୍ତ୍ତିତାର ପାଳନ

ଅବା ନୁହେଁ

କଦମ୍ ତାଲର ତାଳେ ତାଳେ

ସୁଯୋଗ୍ୟ ନାଗରିକ ଭାବେ

ଲମ୍ବା ଲମ୍ବା ଭାଷଣ ପରିବେଷଣ

ୟା ମାନେ ନୁହେଁ ବି ତ

କୋମଳମତିଙ୍କୁ କରାଇବା

ବୁନ୍ଦି,ଚକୋଲେଟ୍,ବିସ୍କୁଟ୍ ଆଦିର

ସ୍ୱାଦିଷ୍ଟ ମିଷ୍ଟାନ୍ନ ଭୋଜନ ।


ତୁମେ କଣ ବୁଝିଛ ??

ଯେତେ ଲୋକ ଏ ଦେଶରେ

ସେତେ ପ୍ରତିଶବ୍ଦ ସ୍ୱାଧୀନତାର


ଆଉ ଯଦି ତୁମେ ବୁଝିଛ

ଏ ସ୍ୱାଧୀନତାର ପ୍ରକୃତ ଅର୍ଥ

ରାସନ୍ କାର୍ଡ ଓ ଆହାର ବଦଳରେ

ପ୍ରତ୍ୟେକଙ୍କ ହାତରେ ଦିଅ

ପର୍ଯ୍ୟାପ୍ତ କାମ

ପେଟପୁରା ଭାତ କାହାରି ପାଇଁ

ନ ହେଉ କେବେ ସ୍ୱପ୍ନ

ପୁଣିଥରେ ନଗଡାର ଚିତ୍ର

ଖବରକାଗଜ ନ କରୁ ମଣ୍ତନ


ତୁମେ ଯଦି ବୁଝିଛ

ସ୍ୱାଧୀନତାର ପ୍ରକୃତ ଅର୍ଥ

ନିଅ ନିଅ ଫେରାଇ ନିଅ

'ଇନ୍ଦିରା ଆବାସ' 'ମୋ କୁଡିଆ'ର

ମିଛ ପ୍ରହସନ

ଦେବ ଯଦି ଦିଅ ଏତିକି ସାମର୍ଥ୍ୟ

ଝାଟି ମାଟି ହେଉ ପଛେ

ନିଜ  ହାତେ ନିଜେ ଗଢିପାରିବାର

ନିଜର ସ୍ୱପ୍ନର  ଘର ।


ତୁମେ ଯଦି ବୁଝିଛ

ପ୍ରକୃତ ଅର୍ଥ ଏ ସ୍ୱାଧୀନତାର

ବେଲ୍କୋନିରେ ଲୁଚି ଲୁଚି

ସ୍ୱାଧୀନ ହେବାର

ସୁଯୋଗ ଖୋଜୁଥିବା 

ତୁମ ପୁଅକୁ ଛାଡିଦିଅ

ଚୁଲବୁଲି ପ୍ରଜାପତି ପଛରେ

ଛାଡିଦିଅ ବର୍ଷାରେ

ମନଭରି ଭିଜିବାକୁ

ଧୂଳିଧୂସରିତ ହେବାକୁ

ତଳସାହି ଝୁପୁଡିରେ

ରହୁଥିବା ମିଟୁ ସହ ।


ତୁମେ ଯଦି ବୁଝିଛ....

ସ୍ୱାଧୀନତାର ଅର୍ଥ

ହୋଟେଲର ତେଲିଆ ବାସ୍ନାରେ

ନିଜ କୋମଳ ଶୈଶବକୁ

ହଜାଉଥିବା ପିଲା ହାତରୁ

ଅଇଁଠା ଚା ଗ୍ଲାସ୍ ଛଡେଇ

ଧରେଇ ଦିଅ ଏକ

ସୁନ୍ଦର  ସୁରକ୍ଷିତ ଭବିଷ୍ୟତ ।


ତୁମେ ଯଦି ବୁଝିଛ

ଏ ସ୍ୱାଧୀନତାର ପ୍ରକୃତ ଅର୍ଥ

ଅନାୟାସେ ପ୍ରବେଶିଦିଅ

ଧୋତି, କୁର୍ତ୍ତା,ପଗଡି ଅବା 

ଟୋପି ପିନ୍ଧାଙ୍କୁ

ତୁମ ଆରାଧନା ପୀଠେ

ତୁମେ ବି ଯାଇ ବୁଲିଆସିପାର

ଆଉ ବୁଝିପାର ଯେ

ଧର୍ମ କେବଳ ଜୀବନ ବଞ୍ଚିବାର

ସୁନ୍ଦର ଶୈଳୀଟିଏ ।


ତୁମେ ଯଦି ବୁଝିଛ

ଅର୍ଥ ଏ ସ୍ୱାଧୀନତାର

ପୃଥିବୀରେ ପାଦ ଥାପିବାର

ଅପେକ୍ଷାରେ ଥିବା ଅସହାୟ

କନ୍ୟାଭୃଣଟିକୁ ଆସିବାକୁ ଦିଅ

ଆଖିରେ ଆକାଶରେ ଉଡିବାର

ସ୍ୱପ୍ନ ସଜାଇଥିବା 

ତୁମ ଝିଅର ପାଦରେ

ତୁମ ଅହଂକାରୀ ମର୍ଯ୍ୟାଦାର

ଲଗାଅନି ଅଂକୁଶ ।


ତୁମେ ଯଦି ବୁଝିଛ

ଏ ସ୍ୱାଧୀନତାର ଅର୍ଥ

ଗଛଲତା,ପଶୁପକ୍ଷୀଙ୍କୁ ବି

ଭୋଗିବାକୁ ଦିଅ

ସେମାନଙ୍କ ଭାଗର ମାଟି ଆକାଶ

ପାଣି ଓ ପବନ ।

ନଦୀକୁ ବି ବହିବାକୁ ଦିଅ

ତାରି ବାଗରେ

ଛଳଛଳ କଳକଳ ହୋଇ 

କରିବାକୁ ଦିଅ

ତୃଷା ନିବାରଣ ।


ସତରେ କୁହ 

ତୁମେ କଣ ବୁଝିଛ

ଏ ସ୍ୱାଧୀନତାର ପ୍ରକୃତ ଅର୍ଥ ???

ଲହୁ ଲୁହ ବଦଳରେ

ଫେରିଥିବା  ଏ  ସ୍ୱାଧୀନ ଦେଶର

ଅଦେଖା  କୋହ ???





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract