ନୀଳ ପ୍ରେମ
ନୀଳ ପ୍ରେମ
ତୁମ ନୀଳ ନୀଳ ପ୍ରେମର ପୂର୍ଣ୍ଣତାରେ
ପରିପୂର୍ଣ୍ଣ ମୋ ଜୀବନ କଳସ
ତଥାପି କେବେ କେଉଁଠି ରହିଯାଏ
କିଛି କିଛି ନୀଳ ଅବଶୋଶ,
ଅବଶୋଶ,ଅସହାୟତାର ନୀଳ ଅନ୍ଧାରରେ
ଯେବେ ମୁଁ ନିଜକୁ ହଜାଉଥାଏ
ତୁମେ ହିଁ ତ ଆସ ସେତେବେଳେ
ଆଗକୁ ଆଗକୁ ବାଟ କଢାଉଥାଅ
ନୀଳଦ୍ୟୁତି ହୋଇ
ମୋର ଏକନ୍ତ ଆତ୍ମୀୟ ବେଳାରେ ।
ମୁଁ ପର୍ବତ ପରି ଖୁବ୍ ଶକ୍ତ
ଏତକ କହି ନିଜକୁ ସାନ୍ତ୍ୱନା ଦେବା ବେଳକୁ
କେଜାଣି କେତେବେଳୁ ନୀଳ ନଈଟେ ହୋଇ
ବହିସାରିଥାଏ ତୁମ ନୀଳ ପାରାବାର ଦିଗରେ
ତୁମ ନୀଳ ଆକର୍ଷଣର ଇସାରାରେ ।
ମୁହଁ ସାରା ଏବେ କୁଞ୍ଚିତ ରେଖା
ଘନକେଶରେ ସଫେଦ ଆବରଣ
ଯୌବନ ଡେଇଁଲାଣି ଏରୁଣ୍ତିବନ୍ଧ
ତଥାପି ଯେବେ ତୁମେ
ନୀଳ ନୀଳ ସ୍ୱପ୍ନରେ
ସଜେଇଦିଅ ମୋ ରାତିସାରା
ସକାଳକୁ ମୁଁ ବି ଅଭିସାରିକା ସାଜି
ନାଇଥାଏ ମଲ୍ଲୀଫୁଲର ଗଜରା ।
ନିଜକୁ ବ୍ୟସ୍ତ ରଖେ ଦିନଯାକର
ଯାବତୀୟ ଦିନଚର୍ଯ୍ୟାରେ
ଠିକ ଏଇ ଗୋଧୂଳି ବେଳାରେ
ଗାଈଗୋଠର ହାମ୍ମା ରଡିରେ
କାନ ମୋର ଖୋଜୁଥାଏ ବଂଶୀସ୍ୱନ
ତୁମ ବିରହର ନୀଳ ଯନ୍ତ୍ରଣାରେ
ଆତ୍ମାର ହେଉଥାଏ ଦଂଶନ
ସେତେବେଳେ ତୁମ ମିଠା ମିଠା
ନୀଳ ସ୍ମୃତି ହିଁ ତ
କରେ ମୋର କ୍ଷତ ଉପଶମ ।
ଯେତେବେଳେ ଭାବେ
ତୁମର ପାଖେ ମୋର ନାହଁ ବୋଲି
ତୁମେ ହିଁ ତ ଆବୋରି ବସିଥାଅ
ମୋ ପୃଥିବୀର ସବୁଜିମାରୁ
ଆକାଶର ନୀଳିମା ଯାଏଁ
ବୈଶାଖର ଝାଞ୍ଜିରୁ
ବସନ୍ତର ମଧୁ ମଳୟ ଯାଏଁ
ମୋ ଜୀବନର ଋତୁଚକ୍ରରେ
ନୀଳ ସଂଜୀବନୀ ହୋଇ
ତୁମେ ହିଁ ତ ଆତଯାତ
ମୋ ପ୍ରତିଟି ଶ୍ୱାସରେ
କୁହ ମୋର ନୀଳ ପ୍ରେମିକ
କେମିତି ପ୍ରମାଣ ଦେବି ମୋ ନୀଳ ପ୍ରେମର
କେମିତି ଦେଖେଇବି
ମୋ ହୃଦୟର ନୀଳ ନିଳୟ
ତୁମେ ନ ଥିବାର ଶୂନ୍ୟତାରେ
ଆହୁରି ଗାଢ ନୀଳ ହୋଇ
ପରିପୂର୍ଣ୍ଣତାରେ ଭରିଯାଉଥିବା
ମୋ ଅନ୍ତରର ସବୁ ଶୂନ୍ୟସ୍ଥଳ ॥