ହୃଦୟର ଏଇ ଶୁନ୍ୟତାକୁ
ହୃଦୟର ଏଇ ଶୁନ୍ୟତାକୁ
ହୃଦୟର ଏଇ ଶୁନ୍ୟତାକୁ
ଆଜି ପଚାରେ ମୁଁ ଯେବେ ଶୁଣେ
ଦୁଃଖର କାରଣ ଖୋଜି ବୁଲେ ଯେବେ
ନିଜ ନାମ ବାଜେ କାନେ ।
ଘର ଆଗଣାର କସ୍ତୁରୀକୁ ଛାଡ଼ି
ଭ୍ରମୁଥିଲି ଏଣେତେଣେ
ଅପର ଆଖିରେ ନିଜକୁ ତଉଲି
ପଡୁଥିଲି ମୁଁ ଭ୍ରମରେ
ମରୀଚିକା ପଛେ ଧାଇଁ ଯେବେ ଆଜି
ଫୁଲ ବଦଳରେ କଣ୍ଟା କିଣେ
ଦୁଃଖର କାରଣ ।
ଇର୍ଷା ଅନଳରେ ବହୁବାର ଜଳି
ମରିଛି ମୁଁ କେତେ ଥର
ତଥାପି ବଞ୍ଚିବା ନିଶାରେ ପିଉଛି
ନିରାଶାର ଯେ ଜହର
ବୁଝି ବି ଅବୁଝା ସାଜିଛି ଆଜି ମୁଁ
ଅଚିହ୍ନା ସହରେ ଘୁରି ମରେ
ଦୁଃଖର କାରଣ ।
ଆଜି ଏ ବିଜନ ବେଳାରେ ଭାବୁଛି
ଜିତିଛି ହାରିଛି କେତେ
ନିଜଠୁ ନିଜେ ମୁଁ ହାରିଯାଏ ଆଜି
ଉତ୍ତର ନାହିଁ ମୋ ହାତେ
ଏକା ଥିଲି ଆଜି ଏକା ଅବଶିଷ୍ଟ
ପାଶେ ମୋର ନାହିଁ କେହି ଜଣେ
ଦୁଃଖର କାରଣ ।
ମୋ ଭିତରେ ଆଜି ଖୋଜି ମୁଁ ପାଇଛି
ଶାନ୍ତିର ସରିତାଟିଏ
ସ୍ଥିର ଚିତ୍ତେ ମୋର ପ୍ରତିବିମ୍ବ ଦେଖି
ଚିହ୍ନୁଛି ଆଜି ମୁଁ କିଏ
ଆନନ୍ଦର ନବ ଉର୍ମିମାଳା ଉଠେ
ହୃଦୟର ବେଳାଭୂମି ପରେ
ଦୁଃଖର କାରଣ ।
