STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ହେ କବିତା

ହେ କବିତା

1 min
242

ହେ କବିତା ତୁମେ ହୃଦଝରା କେତେ

ଅକୁହା ଅସରା କଥା,

ଯେତେ ଲେଖୁଥିଲେ ବାକି ରହିଯାଏ

ଗହନ ଅନେକ କଥା। 


ତୁମେ ଭାବ ଦିଗନ୍ତରେ ଉଡ଼ି ବୁଲୁଥିବା

ଉଲ୍ଲସିତ ପକ୍ଷୀଟିଏ,

ମନ ଗହନର ଆଲୋଡନ ତୀରେ

ନିରପେକ୍ଷ ସାକ୍ଷୀଟିଏ। 

କେବେ ରୁକ୍ଷ ମଧ୍ୟାହ୍ନର ତପ୍ତ ନିଶ୍ବାସରେ

ବୁନ୍ଦା ବୁନ୍ଦା ସ୍ବେଦ ମୁକ୍ତା।। 

ହେ କବିତା ତୁମେ .....


ଜୀବନର ଯେତେ ଗଳିରେ ମୋଡ଼ରେ

ଚମକାଉଥିବା ବେଳ,

କେବେ ତୁମେ ତୁଛା ନୀରବ ଘୋଷଣା

ଅପହଞ୍ଚ କୋଳାହଳ। 

ଅଣନିଶ୍ବାସୀ ଏ ଦୌଡ଼ରେ ତୁମେ

ପହିଲି ବରଷା ଛିଟା।। 

ହେ କବିତା ତୁମେ .....


କେବେ ତୁମେ ଲେଖ ପିନ୍ଧା ପଣତରେ

ବାତ୍ସଲ୍ୟର ମଧୁଛନ୍ଦ,

ବଖାଣିଛ ପୁଣି ରୁକ୍ଷ ଶୃଙ୍ଖଳାରେ

ଆକଟର କଟୁ ଶବ୍ଦ। 

ଭକ୍ତିମୟ ହୋଇ ଝରିଆସ କେବେ

ନୁଆଇଁ ଭକତ ମଥା।। 

ହେ କବିତା ତୁମେ ......


ପ୍ରଣୟର ଗାଢ଼ ମିଳନରେ ତୁମେ

ଅପ୍ରକାଶ୍ୟ ଶିହରଣ,

ଆଖିର ଇଶାରା ପଢ଼ିପାର ବୋଲି

ଆଦରନ୍ତି ପ୍ରେମୀଗଣ। 

ପ୍ରତୀକ୍ଷାର ପ୍ରଲମ୍ବିତ ପଥ ପୁଣି

ବିରହ ବିଧୁର ଗାଥା।। 

ହେ କବିତା ତୁମେ ......


ଝରା ବଉଳରେ, ଭିଜା ସକାଳରେ

ନବ କଲ୍ଲୋଳରେ ତୁମେ,

ଉଡ଼ା ସପନରେ, ଭଙ୍ଗା ଜୀବନରେ

ମଝି ମଧ୍ୟାହ୍ନରେ ତୁମେ। 

ଲୁହଧାର ହୋଇ ବର୍ଷିଯାଅ କେବେ

ଛୁଇଁ ଚେତନା ଓ ଚିନ୍ତା

ହେ କବିତା ତୁମେ ......


ଜହ୍ନ କୁମୁଦର ଗୁପ୍ତ ଆଳାପରେ

ଚହଲା ପାଣିର ଛାଇ

ଶେଫାଳିର ମଧୁଗନ୍ଧ ତୁମେ ପୁଣି

କୁହୁଡ଼ିର ମାୟା ନଈ,

ନଇଁ ଆସୁଥିବା ସଞ୍ଜ ଅଗଣାରେ

ତୁମେ ସମ୍ଭାବନାର ସଳିତା। 

ହେ କବିତା ତୁମେ ......


ଭାବନାର ତପ୍ତ ମରୁପଥେ ତୁମେ

ନିର୍ଝରିଣୀ ଖରସ୍ରୋତା,

ଶବ୍ଦର ସହରେ ଲୟବଦ୍ଧ ତୁମେ

ରସଗ୍ରାହୀ ହୃଦ ଜିତା।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract