କୃଷକ ଶ୍ରମିକ ଶ୍ରମର ମର୍ମ
କୃଷକ ଶ୍ରମିକ ଶ୍ରମର ମର୍ମ


କୃଷକ, ଶ୍ରମିକ ଯେତେ ଶ୍ରମ କରି
ଜୀବନ ବିତାନ୍ତି,
ଲହୁ ଲୁହ ଦେଇ ସେମାନେ ତାଂକର
ପେଟ ପୁରାନ୍ତି ।୧।
ଜାଣିଛେ ଶୋଷିତ, ଅଭାବର ପୀଡନ
ରେ ଜଳନ୍ତି ରାତି ଦିନ
ବୁଝିଛ କି ଧନୀକ ଶୋଷକ କେବେ
କଅଣ ଅଛି ତା'ର ମନ ।୨।
କୃଷକ, ଶ୍ରମିକ ଅଟନ୍ତି ସରଳ, ବୁଝେନ୍ତିନି
କେବେ ଛନ୍ଦ କି କପଟ,
ବୁଝିଛ କି ଧନୀକ ଶୋଷକ କେବେ ତାର
କାହିଁକି ପୁରେନି ପେଟ ? ।୩।
ପାଆନ୍ତି ନାହିଁ ସେମାନେ ତ ଜୀବନରେ
କେବେ ତୁମପରି ସୁଖ
ସାରା ଜୀବନଟା ଚାଲି ଯାଏ, ମିଳଇ
କୃଷକ ଶ୍ରମିକେ ଦୁଃଖ ।୪।
ଯେ କୌଣସି ସମ୍ପର୍କ ଭିତରେ ଯଦି
ଥରେ ଵିଷ ମଂଜି ଭରେ
ଚାଲଇ ସେଇ ସମ୍ପର୍କ ସଂସାରେ ସବୁ
ବେଳେ ଅଵିଶ୍ଵାସ ଭିତରେ ।୫।
ସେଇ ମନୁଷ୍ୟ ସଦା ସର୍ବଦା ଵେଦରଦୀ
ହୁଏ ହୃଦୟ ଭିତରେ
ଗତି କରେ ଖାଲି ମେଞ୍ଚା ମେଞ୍ଚା ଛଳନା
ଓ ପ୍ରତାରଣାରେ ।୬।
ସବୁ ସମାଜରେ ସେଇ ମଣିଷ ସମ୍ପର୍କକୁ
ଵୁଡାଇ ମାରେ
ସାଗରରୂପୀ ବିସ୍ତିନ୍ନ ଦୁଃଖର ଗଭୀର
ଜଳର ଭିତରେ ।୭।
ସେଇ ମାନବ ସମାଜ ଭିତରେ ଆସ୍ତିକ
ଅବା ନାସ୍ତିକ ହେଉ
ସେଇ ମଣିଷର ଈଶ୍ଵର ଉପରେ ଭରସା
ଥାଉ ଅବା ନଥାଉ ।୮।
ଗଢ଼ି ଉଠିଥିବା ସେଇ ଚରିତ୍ରରେ ଲାଗେନି
ନିଜେ ତା ଖାଦ୍ୟ ଯୋଗାଡରେ,
ବଞ୍ଚିବା ପାଇଁ, ସର୍ବଦା ନିର୍ଭର କରେ ଅନ୍ୟକୁ
ଶୋଷଣ ଓ କଷଣ ଦେବାରେ ।୯।
ଖାଲି ସେଇ ମନ ମଣିଷେ ଲଢ଼େଇ
ପାଇଁ ଥାଏ ଯୋଗାଡରେ,
ବାସ୍ତବତା ପ୍ରକୃତିଗତ ସମାନତା ତତ୍ତ୍ୟ
ଉପରେ ଅବିଶ୍ବାସ କରେ ।୧୦।
ଗଢ଼ି ଉଠିଥିବା ସେଇ ଚରିତ୍ରରେ ନିଜକୁ
କେବଳ ସିଏ ଭଲ ପାଏ,
କେବଳ ନିଜ ସ୍ୱାର୍ଥ ହାସଲ ପାଇଁ ସମାଜେ
ଅନ୍ୟ ସହ ବନ୍ଧୁତ୍ୱ ବଢ଼ାଏ ।୧୧।
ଗଢ଼ି ଉଠିଥିବା ସେଇ ଚରିତ୍ରରେ, ସମାଜେ
କେବଳ ନିଜେ ବଞ୍ଚିବ,
ଅନ୍ୟ ପ୍ରାଣୀ ସମାଜେ ବଞ୍ଚୁ ଅବା ନବଞ୍ଚୁ
ତାର ଚିନ୍ତା ନରହିବ ।୧୨।
ବାସ୍ତବିକତାରେ, ସେ ଚରିତ୍ର, ସ୍ୱାର୍ଥପର
କେବଳ ନିଜ ପାଇଁ,
କିମ୍ବା ତା ପରିବାର ପାଇଁ, ନଥାଏ ତାହାର
ଭାବନା ସମାଜ ପାଇଁ ।୧୩।
କୁଆଡୁ ଆସିବ ତାର ଭାବନା କୁହ
ଦେଶ ହିତ ପାଇଁ,
ଅବା ଧରିତ୍ରୀ ପାଇଁ, ଦେଶ ଛାଡିବ,
ନିଜେ ବଞ୍ଚିବା ପାଇଁ ।୧୪।
ଯିଏ ଲହୁ ଲୁହ ନିଗାଡି କେବେ କରୁ
ନଥାଏ ଶ୍ରମ,
କାହୁଁ ଜାଣିବ ସିଏ କୃଷକ ଶ୍ରମିକର
କର୍ମ ଓ ଶ୍ରମର ମର୍ମ ।୧୫।
ଚିନ୍ତା ଓ ଚେତନା ଦ୍ଵାରା, ସମାଜ
ଯାଏ ବଦଳି
ନିଜେ ଶୁଦ୍ଧ ହେଲେ ବଦଳି ଯାଏ ତ
ଜୀବନ ଶୈଳୀ ।୧୬।
ପରସ୍ପର ମଧ୍ୟେ ସଦା ପ୍ରେମର ଭାଵନା
ଲୋଡ଼ା ଅଛି
ଶାସକର ମିଛର ଅଭିନୟରେ ତ ସମ୍ପର୍କ
ହଜି ଯାଉଛି ।୧୭।
କଥାରେ ଅଛି ପୋଡିଗଲା ତିଅଣର
କେବେ ସୁଆଦ ନଥାଏ
ମନେ ରଖ, ଶୋଇଲା ପୁଅର କେବେ
ତ ଭାଗ ନଥାଏ ।୧୮।
ଲହୁ ଲୁହ ନିଗାଡି ଯେତେ ଶ୍ରମିକ ଅଛ
କରୁଛ ତ ଶ୍ରମ
ଶ୍ରମର ମୂଲ୍ୟ ପାଇବା ତୁମର ଅଧିକାର,
ତାହା ତୁମ ଧର୍ମ ।୧୯।
ଚାଷ କାର୍ଯ୍ୟକରି ହେ ଚାଷୀ ଭାଇ, ତୁମ
ଜୀବନ ବିତାଉଛ
ଚାଷର ମୂଲ୍ୟ ଶୋଷି ନେଉଛନ୍ତି, ଅଭାବର
ପୀଡାରେ ତୁମେ ଅଛ ।୨୦।
ଛନ୍ଦ କପଟ କରି ତୁମର ଶ୍ରମର ମୂଲ୍ୟ,
ସବୁ ନେଇ ଯାଉଛନ୍ତି ଯିଏ
ଜାଗ ଶ୍ରମିକ, ଜାଗ କୃଷକ, ହଟାଇବା
ପାଇଁ ଏ ଶୋଷଣ କରୁଛି ଯିଏ ।୨୧।
ପୁଂଜିବାଦୀ ସମାଜେ, ସୁସ୍ଥ ସମାଜଟା ଦୁସ୍ଥ
ପାଲଟୁଛି, ଜୀଇଁବାଟା ହୁଏ ଦୁର୍ବିସହ
ହଟାଇବାକୁ ହେବ, ଯାହା ମେଲାଇଛି ନେବା
ଓ ଦେବାର ଲୋଭର ମୋହ ।୨୨।
ବଇରି ହୋଇବ ତୁମେ ଯେବେ ସମାଜରେ
ଅପ୍ରିୟ ସତଟା ଦେଲେ କହି
କୁହନ୍ତୁ ତୁମକୁ ବିପ୍ଳବୀ, ନିଚ୍ଛକ ସତ୍ୟକୁ ମନେ
ମନେ ହେଜ, ଡରିବ କିପାଇଁ ।୨୩।