ମୁକ୍ତିକାମୀ ବିହଙ୍ଗମ
ମୁକ୍ତିକାମୀ ବିହଙ୍ଗମ
ବେଳେ ବେଳେ ମୋର ଖିଆଲି ମନରେ
ଆକାଂକ୍ଷାଟିଏ ଉଙ୍କି ମାରେ ଇଛା କରେ
ହୋଇ ଯାଆନ୍ତି କି ମୁକ୍ତ ବିହଙ୍ଗଟିଏ
ସକଳ ମାୟା ମୋହର ବନ୍ଧନକୁ
ଛିନ୍ନ କରି ନୀଳ ଆକାଶର ବକ୍ଷ ଚିରି
ଯାଆନ୍ତି ଉଡ଼ିଦୂର ଦିଗବଳୟ ପରେ
ହଜାଇ ଦିଅନ୍ତି ଆପଣା କ୍ଷୁଦ୍ର ସତ୍ତାକୁ
ଭସା ଭସା ବଉଦ ମେଳରେ
ତଲ୍ଲୀନ ହୋଇଯାଆନ୍ତି ତହିଁ ପରେ!
ରଚନ୍ତି ଏକ ନୀଡ଼ ଦୂର ବହୁ ଦୂର
ଅଜଣା ଅଚିହ୍ନା ଅପହଞ୍ଚ ଦ୍ଵୀପରେ
ଯହିଁ ନଥିବ ଏ ହିସାବୀ ଦୁନିଆର
ଲାଭକ୍ଷତି ଅଙ୍କ କଷା ବେଭାର
ଯାବତୀୟ ତୁଛ ବାଛବିଚାର
ଅନ୍ୟାୟ ଅନୀତି ପ୍ରିୟାପ୍ରୀତି ଅତ୍ୟାଚାର
ହିଂସା ଦ୍ବେଷ ବୈରୀ ପରଶ୍ରୀକାତରତାର
ରୁଢ଼ିବାଦୀ ସମାଜର କ୍ରୁର କଟକଣା
ମତଲବୀ ଦ୍ଵୀପଦ ପ୍ରାଣୀର ନିଠୁର ଛଳନା!
ଥିବ ଅଯାଚିତ ପୀରତିର ମଧୁର ପସରା
ବର୍ଷୁଥିବ ତୁହାକୁତୁହା ମୈତ୍ରୀର ଅସରା
ବହୁଥିବ ତହିଁ ସୁଖଶାନ୍ତିର ମନ୍ଦାକିନୀ ଧାରା
ବାଜୁଥିବ ଅବିରତ ସଂପ୍ରୀତିର ଯୋଡି ନାଗରା
ପରାଭବ ଲଭୁଥିବ ନିତି ମୃତ୍ୟୁ ବ୍ଯାଧି ଜରା!