STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ଉତ୍କଳସ୍ୟ ସମଦେଶ

ଉତ୍କଳସ୍ୟ ସମଦେଶ

1 min
451

ଖୋଜି ଦେଖ ସାରା ସସାଗରା ଧରା

ଫେରିବ ନିଶ୍ଚେ ବିଫଳେ

ନଥିଲା କି ନାହିଁ ଉତ୍କଳର ସମ

ଦେଶ ଏହି ମହୀତଳେ। 


ରାମଙ୍କୁ ଯେ ମାଟି ରମଣୀୟ କରେ

ତା ଧୂଳି ପରଶ ଦେଇ,

ପାଣ୍ଡବ ଯେ ଦେଶେ ଆସିଥିଲେ ଧାଇଁ

ପାପ କ୍ଷୟ ଆଶା ନେଇ। 

ଯେ ମାଟି ସ୍ପର୍ଶରେ ଚଣ୍ଡାଶୋକ ହେଲେ

ଧର୍ମାଶୋକ ଦୟା କୂଳେ,

ନଥିଲା କି ନାହିଁ ଉତ୍କଳର ସମ

ଦେଶ ଏହି ମହୀତଳେ।। 


ଲିଙ୍ଗରାଜ ଚୂଡ଼ା ଆଜି ବି ବଖାଣେ

ଶ୍ରୀରାମଙ୍କ ବୀର ଗାଥା,

ପୁରାଣ ଓ ଇତିହାସ ଖୋଲି ଦେଖ

ସବୁଠି ଏ ମାଟି କଥା।

ଶାପଗ୍ରସ୍ତ ଶାମ୍ବ ଶାପମୁକ୍ତ ହେଲେ

ଚନ୍ଦ୍ରଭାଗା ପୁଣ୍ୟ କୂଳେ,

ନଥିଲା କି ନାହିଁ ଉତ୍କଳର ସମ

ଦେଶ ଏହି ମହୀତଳେ।। 


ବାଉଁଶ ନଳୀ ଓ କାଠିଟିଏ ଧରି

ଏ ମାଟି ପୁତ୍ର ସାମନ୍ତ,

ମାପିଲେ ଦୂରତା ଚନ୍ଦ୍ର ହିମାଦ୍ରୀର

ବିଶ୍ୱ ହେଲା ଆଚମ୍ବିତ। 

ମହିଳା ସଶକ୍ତିକରଣର ବୀଜ

ଲକ୍ଷ୍ମୀ ପୁରାଣରେ ମିଳେ,

ନଥିଲା କି ନାହିଁ ଉତ୍କଳର ସମ

ଦେଶ ଏହି ମହୀତଳେ।। 


ଏ ଦେଶ ପାଇକ ବୀରତ୍ବର ଗାଥା

ଭୁଲିନାହିଁ ଇତିହାସ,

ବାଜି ରାଉତ ଓ ଜୟୀ ରାଜଗୁରୁ

ଦେଖାଇଲେ ଦୁଃସାହସ। 

ଯେ ମାଟି ସନ୍ତାନ ବିଦେଶ ମାଟିରେ

ଭୂମିପୁତ୍ର ବୋଲାଇଲେ,

ନଥିଲା କି ନାହିଁ ଉତ୍କଳର ସମ

ଦେଶ ଏହି ମହୀତଳେ।। 


ପଥର ବି ଏଠି କଥା କହି ବସେ

ଐତିହ୍ୟ କହେ କାହାଣୀ,

ସିନ୍ଧୁ ଗାଏ ଗୁରୁ ଗମ୍ଭୀର କବିତା

ସଭିଙ୍କୁ ପାଶକୁ ଟାଣି। 

ଅଧାଗଢ଼ା ସ୍ୱୟଂ ଈଶ୍ୱର ସାଜନ୍ତି

ପୁର୍ଣ କିନ୍ତୁ ପ୍ରଚ୍ଛନ୍ନରେ,

ନଥିଲା କି ନାହିଁ ଉତ୍କଳର ସମ

ଦେଶ ଏହି ମହୀତଳେ।। 


ଭକ୍ତି ଶକ୍ତି ଶିଳ୍ପ କଳାର ଏ କ୍ଷେତ୍ର

ନିଜ ବଳେ ବଳିୟାନ,

ବହୁ ସାଧୁ ସନ୍ଥ ଧାଇଁ ଆସି ଏଠି

ହୋଇଛନ୍ତି ମହୀୟାନ। 

ସର୍ବଧର୍ମର ଏ ସମନ୍ୱୟ କ୍ଷେତ୍ର

ସଦା ଶାନ୍ତିର ପ୍ରଦୀପ ଜଳେ,

ନଥିଲା କି ନାହିଁ ଉତ୍କଳର ସମ

ଦେଶ ଏହି ମହୀତଳେ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract