ବାପା
ବାପା
ମହାନତା ଗୁଣେ ଜନ୍ମଦାତା ଶ୍ରେଷ୍ଠ
ଅସରନ୍ତି ତାଙ୍କ ସ୍ନେହ
ଅହର୍ନିଶ ଥାନ୍ତି ସତେ ଛାୟା ପରି
ଅମୂଲ୍ୟ ମୂଲ ସେ ମୋହ ।
ବାପାଙ୍କ ଶାସନ ଅନଭବ ହୁଏ
ପ୍ରଭାକର ରଶ୍ମି ସମ
ଭବିଷ୍ୟ ଜୀବନେ ସେହି ଉତ୍ତାପରୁ
ଲିଭି ଯାଏ ଘୋର ତମ ।
ଶ୍ରମ ବାରି ଢାଳି ଯେବେ ଚଢୁ ଥାନ୍ତି
ଦୁଃଖ ଯାତନାର ଗିରି
ଉପାର୍ଜନ ବଳେ ଯୋଗାଇ ଦିଅନ୍ତି
ସୁମଧୁର ମିଠା ଖିରି ।
ପ୍ରକାଣ୍ଡ ପାଦପ ସତେ ବାହୁ ଛାୟା
ସନ୍ତାନ ଶିରେ ପ୍ରସାରି
ପ୍ରଭଞ୍ଜନ ଠାରୁ ଦୂରେଇ ରଖେ ସେ
ପୁତ୍ରକୁ ନିଡର କରି ।
ସ୍ବାର୍ଥ ବଳି ଦେଇ ଜୀବନ ସଂଞ୍ଚାରି
ରଖନ୍ତି କୂଳର ଜ୍ୟୋତି
ମାତୃହୀନା ପାଏ ସୁରକ୍ଷା କବଚ
ପିତା ପାଇଁ ତା'ର କୀର୍ତ୍ତି ।
କଣ୍ଟାବନେ ଯେହ୍ନେ ପୁଷ୍ପ ସୁରକ୍ଷିତ
ସେହି ପରି ବାପା ମା
ସମ୍ମୁଖରେ ପିତା କଣ୍ଟାର ଗବାକ୍ଷ
ସନ୍ତାନ ପ୍ରାଣକୁ ସାହା ।
ଅନନ୍ତ ଅସୀମ ରତ୍ନାକର ସମ
ଜନକ ହୃଦୟ ପରା
ସ୍ନେହ ମମତାର ଭଣ୍ଡାର ଗଚ୍ଛିତ
ଅମା ଦିଶେ ଜ୍ୟୋତ୍ସ୍ନା ତୋରା ।
ସଭାରେ ବସିଲେ ପୁତ୍ର ଯେ ଗର୍ବିତ
ତାତ ଯେ ମୋହରି ପାଶେ
ସହସ୍ର ହସ୍ତୀର ବଳ ଯୋଡ଼ି ଯାଏ
ଶାନ୍ତି ବରଷଇ ଆଶେ ।
ଅଦୃଶ୍ୟ ଅଶ୍ରୁକୁ ସଂଚୟ କରିଣ
ସୁଖର ପସରା ଧରି
ଅତି ଶରଧାରେ କୋଳକୁ ନିଅନ୍ତି
ପିତା ପରି କେହୁ ସରି ?
କନ୍ୟା ଅଟେ ମୋର ଧନ ଲକ୍ଷ୍ମୀ ପରା
ବାପା ଚିନ୍ତୁ ଥାନ୍ତି ମନେ
ପରଧନ ଭାବି ପରାୟା ହସ୍ତରେ
ଦାନ କରୁ ଥାନ୍ତି ଦିନେ ।
ନିଶ୍ଚଳ ନିଡର ଶୀତଳ ସ୍ବଭାବ
ସତେ କି ହିମାଦ୍ରୀ ସ୍ଥଳ
ସେହି ଅନୁଭବେ ସନ୍ତାନ ବୁକୁ ରେ
ଆସେ ସିଂହ ବ୍ୟାଘ୍ର ବଳ ।
ଚିରସ୍ମରଣୀୟ ପିତା ଯେ ଆମର
ତାଙ୍କ ବିନା ନାହିଁ ତୃପ୍ତି
ଏତିକି କାମନା ହୃଦୟେ ରଖିବା
ଆଶିଷେ ଲଭିବା ଶକ୍ତି ।