STORYMIRROR

Bhaktilata Pattanayak

Abstract

4  

Bhaktilata Pattanayak

Abstract

ଯୌଥ ପରିବାର

ଯୌଥ ପରିବାର

1 min
405


ମନେ ପଡେ ଆଜି ସେହି ଦିନ 

            ଆମ ପୂରୁବ ପୁରୁଷଙ୍କର 

ଏକଅନ୍ନବର୍ତ୍ତୀ ଭୋଜନରେ ଥିଲା 

            ଆମ ଯୌଥ ପରିବାର ।

ଅଳପ ଧନରେ ଖୁସି ମନଟିରେ 

           ଥିଲା ହସର ଜୁଆର 

ଭାଇ ସଙ୍ଗେ ଭାଇ ମନ ମିଳୁଥିଲା 

         ନ ଥିଲା ତୋର ମୋହର ।

ସ୍ନେହ ମମତାର ରଜ୍ଜୁ ରେ ବନ୍ଧନ 

            ଥିଲା ସଭିଁଙ୍କର ମନ

ରାଗ ଅଭିମାନ ଦୁଇ ଘଡି ପାଇଁ 

           କ୍ଷଣିକରେ ସମାଧାନ ।

ପରବ ପର୍ବାଣି ଉତ୍ସବ ମୁଖର 

           ଥିଲା ଆମ ପରିବାରେ 

ଜେଜେବାପା ଜେଜେମାଆ ଙ୍କ ଆଦର୍ଶେ 

            ବଢିଥିଲୁ ସଂସ୍କାରରେ ।

ଦେବ ଦେବୀ ସମ ବାପା ମାଆ ସେବା 

              ଥିଲା ଜୀବନର ତପ

ମନେ ଭୟ ଥିଲା ତାଙ୍କ ଲୁହ  

            କାଳେ ପଡିଯିବ ଅଭିଶାପ ।

ଅବାଧ୍ୟ ସନ୍ତାନ ସେ ଅନୁଶାସନ 

          ଥିଲା ଗୁରୁଜନଙ୍କର 

ଆଜ୍ଞା ତାଙ୍କ ମାନି ଚଳିଗଲେ ହେଲା

          ସାରା ଜୀବନ ସୁନ୍ଦର ।

ସୁଖେ ଦୁଃଖେ ଭାଗିଦାର ପରସ୍ପର 

           ଥିଲେ ଯୌଥ ପରିବାରେ 

ଭଲ ମନ୍ଦ ବୁଝି ଜଣେ ନ ଖାଇଲେ 

           ଅନ୍ୟ ର ପେଟ ନ ପୁରେ ।

ଗୃହକର୍ତ୍ତା ଙ୍କର ଗୁରୁ ଦାୟିତ୍ୱ ଟା 

         ତୁଲାଇବା ଥିଲା କଷ୍ଟ 

ସମଦୃଷ୍ଟି ସମ ଭାବ ରଖିବା ଟା  

            ଜୀବନର ତ୍ୟାଗ ନିଷ୍ଠ ।

ଘରେ ଥିଲେ ଗାଈ ସଂଗେ ଥିଲେ 

           ଭାଇ କି ଲାଭ ସଭିଁଙ୍କୁ ଜଣା 

ନିଜେ ହିଁ ନିଜର ଆଉ ସବୁ ପର

          ମତି କଲା ବାଟବଣା ।

ଅର୍ଥ ପଛେ ଗଲୁ ସ୍ବାର୍ଥେ ବନ୍ଧା ହେଲୁ

           ଭୁଲିଲୁ ମାନବିକତା 

ବଡ ନ ପଚାରି ସାନ ନ ବିଚାରି 

        ନିଜେ ହେଲୁ ହର୍ତ୍ତା କର୍ତା ।

ପୈତୃକ ସମ୍ପତ୍ତି ଲୋଭ ଟା ମନରେ 

          ଦେଲା ସଦା ବସା ବାନ୍ଧି 

ହଜିଲା ଠିକଣା ମୋହଗ୍ରସ୍ତ ହୋଇ 

         ବିବାଦ ରେ ହେଲୁ ଛନ୍ଦି ।

ଭୁଲିଲୁ କରମ ଛାଡିଲା ଧରମ 

         ଭାଙ୍ଗିଲା ସୁନା ସଂସାର 

ହୋଇଲୁ ବିଚ୍ଛିନ୍ନ ରହିଲାନି ଚିନ୍ହ 

       ଆମ ଯୌଥ ପରିବାର ।

ଛାଡି ପରିବାର ବୁଲିଲୁ ସହର

       ହେଇଗଲୁ ପରବାସୀ 

ମିଳୁନାହିଁ ଶାନ୍ତି ମିଳୁନାହିଁ ଖୁସି 

        ହେଉଛୁ ଅଣନିଶ୍ବାସୀ ।

ଯୌଥ ପରିବାର ସରସ ସୁନ୍ଦର 

          ବୈକୁଣ୍ଠ ସମାନ ଘର

ଲକ୍ଷେ ଅରଜିଲେ ପକ୍ଷେ ଅଣ୍ଟୁନାହିଁ 

           ଘର ଭଙ୍ଗା ମଣିଷର ।

ସମୟର ଦାସ ସାମାଜିକ ପ୍ରାଣୀ 

         ନିଜ କୁ ବଦଳାଇଲୁ 

ନିଜ ଗୋଡେ ନିଜେ କୁଠାର କୁ ମାରି

           ନିଜକୁ ଆଘାତ ଦେଲୁ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhaktilata Pattanayak

Similar oriya poem from Abstract