ଯୌଥ ପରିବାର
ଯୌଥ ପରିବାର
ମନେ ପଡେ ଆଜି ସେହି ଦିନ
ଆମ ପୂରୁବ ପୁରୁଷଙ୍କର
ଏକଅନ୍ନବର୍ତ୍ତୀ ଭୋଜନରେ ଥିଲା
ଆମ ଯୌଥ ପରିବାର ।
ଅଳପ ଧନରେ ଖୁସି ମନଟିରେ
ଥିଲା ହସର ଜୁଆର
ଭାଇ ସଙ୍ଗେ ଭାଇ ମନ ମିଳୁଥିଲା
ନ ଥିଲା ତୋର ମୋହର ।
ସ୍ନେହ ମମତାର ରଜ୍ଜୁ ରେ ବନ୍ଧନ
ଥିଲା ସଭିଁଙ୍କର ମନ
ରାଗ ଅଭିମାନ ଦୁଇ ଘଡି ପାଇଁ
କ୍ଷଣିକରେ ସମାଧାନ ।
ପରବ ପର୍ବାଣି ଉତ୍ସବ ମୁଖର
ଥିଲା ଆମ ପରିବାରେ
ଜେଜେବାପା ଜେଜେମାଆ ଙ୍କ ଆଦର୍ଶେ
ବଢିଥିଲୁ ସଂସ୍କାରରେ ।
ଦେବ ଦେବୀ ସମ ବାପା ମାଆ ସେବା
ଥିଲା ଜୀବନର ତପ
ମନେ ଭୟ ଥିଲା ତାଙ୍କ ଲୁହ
କାଳେ ପଡିଯିବ ଅଭିଶାପ ।
ଅବାଧ୍ୟ ସନ୍ତାନ ସେ ଅନୁଶାସନ
ଥିଲା ଗୁରୁଜନଙ୍କର
ଆଜ୍ଞା ତାଙ୍କ ମାନି ଚଳିଗଲେ ହେଲା
ସାରା ଜୀବନ ସୁନ୍ଦର ।
ସୁଖେ ଦୁଃଖେ ଭାଗିଦାର ପରସ୍ପର
ଥିଲେ ଯୌଥ ପରିବାରେ
ଭଲ ମନ୍ଦ ବୁଝି ଜଣେ ନ ଖାଇଲେ
ଅନ୍ୟ ର ପେଟ ନ ପୁରେ ।
ଗୃହକର୍ତ୍ତା ଙ୍କର ଗୁରୁ ଦାୟିତ୍ୱ ଟା
ତୁଲାଇବା ଥିଲା କଷ୍ଟ
ସମଦୃଷ୍ଟି ସମ ଭାବ ରଖିବା ଟା
ଜୀବନର ତ୍ୟାଗ ନିଷ୍ଠ ।
ଘରେ ଥିଲେ ଗାଈ ସଂଗେ ଥିଲେ
ଭାଇ କି ଲାଭ ସଭିଁଙ୍କୁ ଜଣା
ନିଜେ ହିଁ ନିଜର ଆଉ ସବୁ ପର
ମତି କଲା ବାଟବଣା ।
ଅର୍ଥ ପଛେ ଗଲୁ ସ୍ବାର୍ଥେ ବନ୍ଧା ହେଲୁ
ଭୁଲିଲୁ ମାନବିକତା
ବଡ ନ ପଚାରି ସାନ ନ ବିଚାରି
ନିଜେ ହେଲୁ ହର୍ତ୍ତା କର୍ତା ।
ପୈତୃକ ସମ୍ପତ୍ତି ଲୋଭ ଟା ମନରେ
ଦେଲା ସଦା ବସା ବାନ୍ଧି
ହଜିଲା ଠିକଣା ମୋହଗ୍ରସ୍ତ ହୋଇ
ବିବାଦ ରେ ହେଲୁ ଛନ୍ଦି ।
ଭୁଲିଲୁ କରମ ଛାଡିଲା ଧରମ
ଭାଙ୍ଗିଲା ସୁନା ସଂସାର
ହୋଇଲୁ ବିଚ୍ଛିନ୍ନ ରହିଲାନି ଚିନ୍ହ
ଆମ ଯୌଥ ପରିବାର ।
ଛାଡି ପରିବାର ବୁଲିଲୁ ସହର
ହେଇଗଲୁ ପରବାସୀ
ମିଳୁନାହିଁ ଶାନ୍ତି ମିଳୁନାହିଁ ଖୁସି
ହେଉଛୁ ଅଣନିଶ୍ବାସୀ ।
ଯୌଥ ପରିବାର ସରସ ସୁନ୍ଦର
ବୈକୁଣ୍ଠ ସମାନ ଘର
ଲକ୍ଷେ ଅରଜିଲେ ପକ୍ଷେ ଅଣ୍ଟୁନାହିଁ
ଘର ଭଙ୍ଗା ମଣିଷର ।
ସମୟର ଦାସ ସାମାଜିକ ପ୍ରାଣୀ
ନିଜ କୁ ବଦଳାଇଲୁ
ନିଜ ଗୋଡେ ନିଜେ କୁଠାର କୁ ମାରି
ନିଜକୁ ଆଘାତ ଦେଲୁ।
