STORYMIRROR

Eklavya Nayak

Abstract

3  

Eklavya Nayak

Abstract

କବି'ର କଣ୍ଠରେ କବିତା

କବି'ର କଣ୍ଠରେ କବିତା

1 min
339

କବି ରଚେନାହିଁ, ତା'ର ଅମୂଲ୍ୟ କାଳଜୟୀ କୃତି

ମାନପତ୍ର କି ପୁରସ୍କାର, କିଛି ସାଉଁଟିବା ପାଇଁ

ନିନ୍ଦା ହେଉ କି ପ୍ରଶଂସା, ଯାହା ମିଳେ କପାଳକୁ

ସେ ସବୁ ସ୍ମୃତି ସଂଗ୍ରହାଳୟେ, ରଖୁଛି ସଜେଇ ।।


ଭାବନା ରାଇଜେ କବି, ଲେଖନୀ ରଥରେ ଭ୍ରମେ

ଅଗଣିତ ଶଦ୍ଦମାନଙ୍କୁ, ପ୍ରିୟ ସାରଥୀ ବନେଇ

ଅନେକ ଅବ୍ୟକ୍ତ ଗାଥାର, କବିତା ପୁଟୁଳିକୁ ଧରି

ପାଠକମାନଙ୍କ ଅତି ନିକଟେ, ଦିଏ ପହଞ୍ଚାଇ ।।


ସାହିତ୍ୟର ଉପାସକ ହୋଇ, ଧ୍ୟାନେ ମଗ୍ନ ହୁଏ କବି

ବିଞ୍ଚିଦିଏ ସଂସାରରେ, ଭାଷା ସାହିତ୍ୟର କୃପା-ନୀର

ସଚେତନ ହୋଇ ଜନ, ନୀତି ଆଦର୍ଶକୁ ପାଳି ବସେ

ସୁଦୃଢ ହୁଏ ମଧ୍ୟ ସ୍ତମ୍ଭ , ଏକ ଆଦର୍ଶବାଦୀ ସଭ୍ୟତାର ।। 


କବି ଛନ୍ଦି ହୋଇଥାଏ, ଛନ୍ଦ, ରାଗ ତାଳ ସାଥିରେ

କବିତାର ବିଭିନ୍ନ ସ୍ଵରୁପକୁ, ଦେବ ବୋଲି ପରାଣ

ଚେତନାର ଏନ୍ତୁଡ଼ିଶାଳରେ, ଭୂମିଷ୍ଠ ହୋଇ ସିଏ

କୁଆଁ କୁଆଁ ହୋଇ ଗାଏ, ସମୃଦ୍ଧ ଭାଷାର ଜଣାଣ ।।


କେବେ ପ୍ରେମିକ ପ୍ରବର, ହୋଇ ବାଢି ବସେ କବି

ଅସୁମାରୀ ପ୍ରଣୟର ଶବ୍ଦକୁ, କବିତାର ବିଭବରେ

କେବେ ବିରହ ବେଳାରେ, ନିର୍ଦ୍ଧନ ଶାମୁକାଟିଏ ହୋଇ

କବିତାରେ କଥା କୁହେ, ଭଙ୍ଗା ଲହରୀ ମେଳରେ ।।


ବାଲିଗରଡା ମଧ୍ୟରୁ ଶୁଣି, କ୍ଷୀଣ ଶବ୍ଦର ତରଙ୍ଗ

କାଗଜ ବକ୍ଷରେ ଗଢୁଛି, କବିତାର ଅଟ୍ଟାଳିକା

ହୃଦୟର, ଭିତର ହୃଦୟ ପାଶେ, ପହଞ୍ଚି ଦେଖୁଛି

ସତେ ଭିଡ଼ କରିଛନ୍ତି କେତେ, ଯନ୍ତ୍ରଣାଙ୍କ ଏକାଙ୍କିକା ।।


ମୃତ୍ୟୁ ହିଁ କେବଳ ଏଠି, ଜୀବନର ନିଷ୍ଠୁର ସତ୍ୟ

ବୟସ ତ ଏକ ସଂଖ୍ୟା, ଯାହା ଆୟତ୍ତରେ ନାହିଁ

ସେ ଲାଗି କବିତା ମାଧ୍ୟମେ, ବଞ୍ଚେ ଅସଂଖ୍ୟ ଚରିତ୍ର

ଏ ଅଳ୍ପ ଆୟୁଷେ, ଏକମାତ୍ର ଚରିତ୍ର ଯଥେଷ୍ଟ ନୁହଁଇ ।।


ପାର୍ଥିବ ପୃଥିବୀ ମଧ୍ୟେ , କିଏ ବା ଅଜେୟ ଅମର

ଏଠି କବି ମଧ୍ୟ ଭୂପତିତ ହୁଏ, ମୃତ୍ୟୁର ପ୍ରହାରରେ

ଦୁର୍ବଳ କାଗଜେ ଖୋଦିତ, କବିତା ହୋଇବ ବିଲୀନ

ଯାହା ରହିଥିବ ସ୍ପନ୍ଦନ ରୂପେ, ମୋ ପାଠକଙ୍କ ହୃଦୟରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract