ପାନ୍ଥଶାଳା
ପାନ୍ଥଶାଳା
ପାନ୍ଥଶାଳା ମୁଁ ଯେ ନୀରବେ ଚାହିଁଛି
ପାନ୍ଥ ହେ ତୁମ ପଥ,
ଶୀର୍ଣ୍ଣ ହେଲାଣି ଏ ଅବୟବ ମୋର
ଜୀର୍ଣ୍ଣ ହେଲାଣି କାନ୍ଥ ।
ହେଲେ ସେ କାନ୍ଥରେ ଏବେ ବି ସେମିତି
ଲେଖାଅଛି ତୁମ ନାଆଁ ,
ନିର୍ଜନ ନିଶୀଥେ ଅଙ୍ଗାର ଖଣ୍ଡରେ
ଲେଖି ଯାଇଥିଲ ଯାହା ।
ଜହ୍ନ ନଥିଲା କି ତାରା ବି ନଥିଲା
ମେଘ ଯାଇଥିଲା ଢାଙ୍କି,
ପ୍ରଦୀପର ସେହି ସ୍ତୀମିତ ଶିଖାରେ
ତୁମକୁ ମୁଁ ଥିଲି ଦେଖି ।
ପରମ ନିଶ୍ଚିନ୍ତେ ଅଙ୍କରେ ମୋହର
ପଡିଥିଲ ତୁମେ ଶୋଇ,
ସାରା ରଜନୀ ମୁଁ ଉନ୍ନିଦ୍ର ରହିଲି
ତୁମରି ମୁହଁକୁ ଚାହିଁ ।
ଜାଣିଛି ଏତିକି ପାନ୍ଥଶାଳା ମୁଁ
ନାହିଁ ମୋର ଅଧିକାର,
ମାଗି ପାରିବିନି ଠିକଣା କାହାର
ଲୋଡା ଅବା କିସ ମୋର ।
ଋତୁ ପରେ ଋତୁ ବଦଳି ଯାଇଛି
ଗଡି ଚାଲିଛି ସମୟ,
ଯେତେ ଖୋଜିଲେ ବି ପାଇ ପାରିନାହିଁ
କେବେ ତୁମ ପରିଚୟ ।
ଆଜି ବି ଅଜଣା ତୁମରି ଠିକଣା
ଯାହା ମାଗି ପାରିନାହିଁ,
ହେଲେ ମୋ ଦେହରେ ଲେଖା ତୁମ ନାଆଁ
ରହିଛି ଅଲିଭା ହୋଇ ।
କେବେ ଚେଷ୍ଟା କରି ଲିଭେଇ ପାରିନି
ମୋ କାନ୍ଥରୁ ତୁମ ନାମ,
ନିଶବ୍ଦେ ଖୋଜୁଛି ତୁମ ପାଦ ଶବ୍ଦ
ଏଇ ବୋଧେ ସତେ ପ୍ରେମ ।