ମୁନାର କବିତା ଲେଖା
ମୁନାର କବିତା ଲେଖା


କାଗଜ,କଲମ ମୁନାର ହାତରେ
ଲେଖିବ କବିତା ବୋଲି
କେଉଁଠୁ ଆରମ୍ଭ କରିବ ଭାବିକି
ସମୟ ଗଲାଣି ଚାଲି ।
କାହାକୁ ନେଇକି କବିତା ଲେଖିବ
ଭାବି ପାରୁନାହିଁ ଜମା
କଳ୍ପନା, ଜଳ୍ପନା ସତ୍ୟତାକୁ ନେଇ
ମନରେ ବହୁ ଭାବନା ।
ପାଠାଗାର ଅବା ପାଠ ପୁସ୍ତକରୁ
ପଢିଛି କେତେ କବିତା
ସଭିଁଙ୍କ ଲେଖାରେ ରହିଛି ଭିନ୍ନତା
ନୁହଁଇ ମୂଲ୍ୟ ହୀନତା ।
ପରିବେଶ ଜ୍ଞାନ ଭୂଗୋଳ,ବିଜ୍ଞାନ
ରହିଲେ କବିତା ରୂପେ
ସୁଲଭ ଢଙ୍ଗରେ ଛାପିଯାଏ ମନେ
ଆଙ୍କିହୋଇ ଆପେ ଆପେ ।
ଗପକୁ କବିତା ଆକାରେ ଦେବାକୁ
ବସିଲା ଯାଇ ଦିଘଡି
ହେଜିଲା ଆଈର ଅସୁରୁଣୀ ଗପ
&nbs
p; ଅଜାର ଢମାଳି ପେଡି ।
ଗଛଲତା ନେଇ ବାଘ,ବଣି କଥା
କବିତାରେ ଦେଲା ଥୋଇ
ଛନ୍ଦରେ ପକାଇ ଲେଖିଲା ଦିଧାଡି
ମନେ ଗୁଣୁ ଗୁଣୁ ହୋଇ ।
କବି କାଳିଦାସ ରାଧାନାଥ କଥା
ଭାବିଲା ଚିନ୍ତିଲା ମନେ
ଶବ୍ଦ ଖୋଜି ଖୋଜି କବିତା ସଜାନ୍ତି
ସମସ୍ତ କବିତା ଜନେ ।
ଦୁଇ ଚାରି ଧାଡି କବିତା ଲେଖିକି
ଟେବୁଲରେ ଗଲା ଶୋଇ
ଚଞ୍ଚଳ ଉଠିକି ବଙ୍କୁଲିରେ ଜେଜେ
ଦି ପାହାର ଦେଲେ ଥୋଇ ।
ଶପଥ କରିଲା ହାରିଯିବ ନାହିଁ
ସମାଜ କଲ୍ୟାଣ ପାଇଁ
କବିଟିଏ ହୋଇ କବିତା ଲେଖିବ
ସଭିଁଙ୍କ ହୃଦୟ ଛୁଇଁ ।